ସାଲେପୁର ,ସରକାରଙ୍କ ପକ୍ଷରୁ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀ ଓ ଔଷଧ ବାବଦରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ବେଳେ ବିଭାଗୀୟ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଗାଁ ଗହଳିରେ ଗୋପାଳକମାନେ ନାନା ପ୍ରକାର ହଇରାଣ ହରକତ ହେବା ସହ ଗୋରୁ ଗାଇମାନେ ମଧ୍ୟ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ୪୧ଟି ପଂଚାୟତରେ ପ୍ରାୟ ୯୯ ଭାଗ ପରିବାର ଗାଇ, ଛେଳି, ମେଣ୍ଢା, ପାଳନ କରି ନିଜ ପରିବାର ପ୍ରତିପୋଷଣ କରିଥାଆନ୍ତି । ଗୋରୁ ଗାଇଙ୍କର ନାନା ସମୟରେ ହେଉଥିବା ଅଚିହ୍ନା ରୋଗର ପ୍ରତିକାର ପାଇଁ ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଧିକାରୀ ଓ ସହାୟକ ଚିକିତ୍ସକ ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ଗୋରୁ ଗାଇଙ୍କର ସେବା ନକରିବାରୁ ଅଚିହ୍ନା ରୋଗରେ (କୁହାଯାଉଛି ବସନ୍ତ ରୋଗ)ରେ ସାନ୍ତପୁର ପଂଚାୟତର କାର୍ତିକ ଦାସଙ୍କର ଏକ ମୂଲ୍ୟବାନ ଗାଇ ମୃତ୍ୟୁବରଣ କରିଥିବା ବେଳେ ବହୁ ପରିବାରର ଗାଈ ଓ ବାଛୁରୀଙ୍କ ଦେହରେ ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏପରିକି ଏହି ରୋଗର ପ୍ରତିକାର ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କର ଦେଖାମିଳୁନଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ସରକାରଙ୍କଠାରୁ ବହୁ ଗୋଚାଷୀ ଋଣ ନେଇ ଗୋରୁ ଗାଈ ପାଳିଥିଲେ ମଧ୍ୟ ସେମାନଙ୍କ ପ୍ରତି କର୍ମଚାରୀଙ୍କ ବୈମାତୃକ ମନୋଭାବ ଯୋଗୁ ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସକଙ୍କ ଉପରେ ଆସ୍ଥାତୁଟିଯାଉଛି । ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବ୍ୟାପୁଥିବା ଅଚିହ୍ନା ରୋଗର ନିରାକରଣ ବ୍ୟବସ୍ଥା କରିଲେ ଲୋକମାନେ ଉପକୃତ ହୋଇପାରିବେ ।