-
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନରେ ପରିଣତ
ସାଲେପୁର , ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବିଭିନ୍ନ ପଂଚାୟତରେ ମୁଗ ଓ ବିରି ରବିଜାତୀୟ ଫସଲରେ ରୋଗପୋକ ଲାଗିଥିବା ଅଭିଯୋଗ ହୋଇଛି । ବିଶେଷ କରି ଜଉ ପୋକ ଓ ଅନ୍ୟାନ୍ୟ ପୋକ ମୁଗବିରି ଫସଲକୁ କ୍ଷିପ୍ର ବେଗରେ ମାଡିଯାଇ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଫସଲ ଫୁଲ ଓ ଫଳ ଧରିବା ସମୟରେ ରୋଗପୋକ ଯୋଗୁ ଉଜୁଡି ଯାଉଥିବା ଫସଲ ଦେଖି ଚାଷୀ ଚିନ୍ତାରେ ପଡିଛି । ଚଢା ଦରରେ ମୁଗବିରି ବିହନ କିଣି କଳ ଲଙ୍ଗଳ ଦ୍ୱାରା ଚାଷ କରି ଚାଷୀ ଏ ରବିଜାତୀୟ ଫସଲ କରି ବହୁ ଖର୍ଚ୍ଚାନ୍ତ ହୋଇଥିବା ବେଳେ ଏବେ ଏହା ନଷ୍ଟ ହୋଇଯାଉଥିବାରୁ ବହୁ କ୍ଷତି ସହିବାର ଆଶଙ୍କା ଦେଖାଦେଇଛି । ଚଳିତ ବର୍ଷ ଏହି ବ୍ଲକ ଅଂଚଳରେ ହେକ୍ଟର ହେକ୍ଟର ଚାଷ ଜମିରେ ଚାଷୀମାନେ ରବିଜାତୀୟ ଫସଲ କରିଥିଲେ । ବହୁଚାଷୀ କ୍ଷେତରେ ପାଣି ନମଡାଇ ମୁଗ ଓ ବିରି ବୁଣିଥିବା ବେଳେ ଅନେକ ଚାଷୀ କେନାଲ ଦ୍ୱାରା ଆସୁଥିବା ପାଣିକୁ ଜମିରେ ମଡାଇ ରବି ଜାତୀୟ ଫସଲ କରିଥିଲେ । ବର୍ତ୍ତମାନ ଅପାଣିଆ ମୁଗ ଓ ବିରି ଫସଲ ଫୁଲ ଓ ଫଳ ଧରିବା ସମୟ ହୋଇଥିବାରୁ ସେଥିରେ ଜଉ ପୋକ ସହିତ ଅନ୍ୟ ଏକ ଅଚିହ୍ନା ରୋଗ ଲାଗିଯିବାରୁ ସଠିକ୍ ଭାବେ ଫଳ ହେଉନଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ବିଶେଷ କରି ଏହି ବ୍ଲକର ବାଲିଆପଦା, ସରପଡା, ବୁହାଳ, କେନ୍ଦୁପାଟଣା, କୋଲଣପୁର, ବରାଦୋ, ଜିଗ୍ନିପୁର, ରାମକୃଷ୍ଣପୁର, ଫଗୋଳ ,ଜୟରାମପୁ, ରଟିଲୋ, ପୁରୁଣାହାଟ, ସୁଦ୍ଧୁଖଣ୍ଡ, ବହୁଗ୍ରାମ, ରାଇସୁଙ୍ଗୁଡା, ପିକୋଳ, ଚନ୍ଦ୍ରାଦେଇପୁର, ମହଣ, ଶିଶୁଆ ସମେତ ଦୀପାଂଚଳର ଅନେକ ପଂଚାୟତରେ ମଧ୍ୟ ମୁଗବିରି ଫସଲରେ ଜଉ ପୋକ ଲାଗିବା ଆରମ୍ଭ କରିଛନ୍ତି । ଏହି ପୋକ ଦିନକୁ ଦିନ ଅଧିକ ମାତ୍ରାରେ ଲାଗିବା ଆରମ୍ଭ କଲାଣି । କୃଷି ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ସେଭଳି ସମୁଚିତ ପଦକ୍ଷେପ ନିଆଯାଉ ନାହିଁ । ପାଗର ପ୍ରତିକୂଳ ପରିବେଶ ତଥା ତାପମାତ୍ରା ବୃଦ୍ଧି ଏବଂ ସକାଳୁ ଘନ କୁହୁଡି ହେଉଥିବାରୁ ରବି ଫସଲରେ ଏଭଳି ରୋଗପୋକ ବଢି ବଢି ଯାଉଥିବା କୃଷି ଅଧିକାରୀମାନେ କହିଛନ୍ତି । ଏହି କୃଷି କର୍ମଚାରୀମାନେ ପୋକ ଲାଗିଥିବା କ୍ଷେତକୁ ଯାଇ ଅନୁଧ୍ୟାନ କରିବା ପରେ ଚାଷୀମାନଙ୍କୁ କିପ୍ରକାର କୀଟନାଶକ ପ୍ରୟୋଗ କରିବାକୁ ହେବ ସେ ସଂକ୍ରାନ୍ତରେ ମଧ୍ୟ ପରାମର୍ଶ ଦେଉଛନ୍ତି । ସୂଚନାଯୋଗ୍ୟ ଯେ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ ମଧ୍ୟ ଉଭୟ ବ୍ଲକରେ ଏହି ବୀମା କାର୍ଯ୍ୟ ନାମକୁମାତ୍ର ଚାଲିଥିବାରୁ ଚାଷୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲାପାଳ , କୃଷି ବିଭାଗ ସଚିବ ଓ ମନ୍ତ୍ରୀ ଦୃଷ୍ଟି ଦେଇ ସୁପଦକ୍ଷେପ ନେଲେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ଚାଷୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।