-
କାଲିଠୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଡ୍ରାଇଭର ସଂଘ
-
ବସ୍ ସ୍ୱାଭାବିକ ଚାଲିବ କହିଲା ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର, ଆସନ୍ତାକାଲିର ଧର୍ମଘଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ଡ୍ରାଇଭର ସଂଘ ଓ ଘରୋଇ ବସ୍ ମାଲିକ ସଂଘ । ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତି ନେଇଛି । ସେହିପରି ଧର୍ମଘଟ ବେଳେ ଗଣ୍ଡଗୋଳ ହେବାର ସମ୍ଭାବନା ରହିଥିବା ଆଶଙ୍କା କରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍ କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି ।
ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି । ଆମେ ଆମର ବସ୍ ଚଳାଚଳ ସ୍ୱାଭାବିକ କରିବୁ । ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ । ଗତକାଲି ଆମେ ଡିଜି ଓ ଏଡିଜିଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ । ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ଆମ ପାଖରେ ଯେଉଁ କର୍ମଚାରୀ ଅଛନ୍ତି, ସେମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି । ଡ୍ରାଇଭର ସଂଘ ଯେଉଁ ଦାବି କରୁଛନ୍ତି, ତା’ଠାରୁ ଅଧିକ ସୁବିଧା ଆମେ ଆମ କର୍ମଚାରୀମାନଙ୍କୁ ଦେଉଛୁ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ପ୍ରତ୍ୟାହାର କରି ସେମାନେ ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ କହିଛନ୍ତି ।
ଅନ୍ୟପଟେ ୧୦ ଦଫା ଦାବିରେ ଡ୍ରାଇଭର ମିଳିତ ମଂଚ ଧର୍ମଘଟ ନିଷ୍ପତିରେ ଅଟଳ ରହିଛି । ସଂଘ ପକ୍ଷରୁ କୁହାଯାଇଛି ଯେ କାଲିଠୁ ହଳଦିଆ ନମ୍ବର ପ୍ଲେଟ୍ ଲାଗିଥିବା ସବୁ ଗାଡ଼ି ଅଟକାଇବୁ । ସବୁ ପ୍ରବେଶପଥରେ ହଳଦିଆ ନମ୍ବର ପ୍ଲେଟ୍ ଲାଗିଥିବା ଗାଡିକୁ ଅଟକାଯିବ । ବ୍ଲକ୍ ଓ ଜିଲ୍ଲା ସଦରମହକୁମା ସ୍ତରରେ ଏହିଧର୍ମଘଟ କରାଯିବ । ମୋଟର ଚାଳକ ସଂଘ ଓ ପରିବହନ ସଂଘ ଆମ ସହ ଅଛନ୍ତି ବୋଲି କହିଛି ଓଡିଶା ଡ୍ରାଇଭର ମିଳିତ ମଂଚ ।