ଭୁବନେଶ୍ୱର, ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନୋତ୍ର କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତନ ସମ୍ପର୍କିତ ଏକ ପ୍ରଶ୍ନରେ ଆଲୋଚନା ବେଳେ ଏ ନେଇ ଉଦବେଗ ପ୍ରକାଶ ପାଇଛି ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରସଙ୍ଗ ଉଠାଇ କହିଛନ୍ତି ଜଙ୍ଗଲ ଜଳୁଛି ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଅନ୍ୟ ପକ୍ଷରେ ଉତର ରଖି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି । ସେ କହିଛନ୍ତି ଯେ ସ୍ୟାଟେଲାଇଟ ରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି ବରଂ ଅନେକ ସ୍ଥାନରେ ଚାଷୀ ମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି । ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀ ମାନେ ନିଆଁ ଲଗେଇ ଦେଉଛନ୍ତି । ଯେଉଁଥି ପାଇଁ ସ୍ୟାଟ ଲାଇଟ ରେ ଅଧିକ ନିଆଁ ଲାଗିଥିବା ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ ପ୍ରତିଶତ କୁ ଅନୁଧ୍ୟାନ କରୁଛୁ । ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆ ଯାଉଛି । ଆଧୁନିକ ପ୍ରଣାଳୀ ରେ ନିଆଁ କୁ ଆୟତ କରାଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି । ଯେଉଁ ମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉ ଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁମାନେ ଜଙ୍ଗଲ ରେ ବୁଲାବୁଲି କରୁଛନ୍ତି ଯାହା ଉପରେ ସନ୍ଦେହ ହେଉଛି ତାଙ୍କ ଉପରେ ନଜର ରଖା ଯାଉଛି ।