ଭୁବନେଶ୍ୱର, ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ ନକରିବାକୁ ପରାମର୍ଶ ଦେଇଛି ଓଡିଶା ପୋଲିସ୍ । ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ୍ ପ୍ରସ୍ତୁତ କରୁଛନ୍ତି । ଏହାଦ୍ୱାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି । ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଟୁଇଟ୍ କରି ପରାମର୍ଶ ଦେଇଛି ଓଡିଶା ପୋଲିସ୍ ।
ସେହିପରି ରିଲ୍ସ ନାଁରେ ଆଇନ ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରନ୍ତୁ ନାହିଁ । ନିଜକୁ ସୁରକ୍ଷିତ ସ୍ଥାନରେ ରଖି ରିଲ୍ସ କରନ୍ତୁ । ପାହାଡ଼, ଟ୍ରେନ ଟ୍ରାକ, ଗଭୀର ପାଣିରେ ରିଲ୍ସ କରନ୍ତୁନି । ସୋସିଆଲ ମିଡ଼ିଆ ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଛନ୍ତି ଡିସିପି ।