ଭୁବନେଶ୍ୱର, ଦିନ ଦ୍ୱିପ୍ରହରରେ ଜଣେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ପାଗଳ ସଜାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶୂନ୍ୟ କାଳରେ ନରସିଂହ ମିଶ୍ର ପୁଣି ନବ ଦାସ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଗୃହରେ ଯେଉଁ ବକ୍ତବ୍ୟ ଦେଇଥିଲେ ସେଥିରେ ଷଡଯନ୍ତ୍ର ବିଷୟ ନ ଥିଲା । ପରେ ଗୃହ ରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉଛି । କେଉଁ ପ୍ରକାର ଷଡ଼ଯନ୍ତ୍ର, ବ୍ୟାବସାୟିକ ନା ବ୍ୟକ୍ତିଗତ, ସନ୍ଦିଗ୍ଧ କିଏ । ସେ ବିଷୟରେ କିଛି କୁହାଯାଉ ନାହିଁ । ସେ କହିଛନ୍ତି ଯେ ଗୋପାଳକୁ ପାଗଳ ସଜେଇବାକୁ କ୍ରାଇମବ୍ରାଂଚ, ସରକାର ଚାହୁଁଛନ୍ତି । ଏସସିବି ମେଡିକାଲ ବୋର୍ଡ ରିପୋର୍ଟ ପରେ କାହିଁକି ନିମହାନ୍ସ ନେବା ପାଇଁ ଆବେଦନ କରାଯାଇଥିଲା । କୋର୍ଟ ଏହା ଉପରେ ଅତ୍ୟନ୍ତ କଠୋର ମନ୍ତବ୍ୟ ଦେଇଥିଲେ ।
ସେ କହିଛନ୍ତି ଯେ ମର୍ଡର ମୋଟିଭ କଣ ଏଯାଏ ସ୍ପଷ୍ଟ ହୋଇନି, କ୍ରାଇମବ୍ରାଂଚ କିଛି କହୁନି । ଗୃହ ଭିତରେ ଓ ବାହାରେ ପ୍ରସଙ୍ଗ ନଉଠାଇବାକୁ ପରୋକ୍ଷ ଧମକ ଦିଆଯାଇଛି । ରାଜନୈତିକ ବାଧ୍ୟବାଧକତାରେ ସରକାର ଚାପି ଦେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।