
ଭୁବନେଶ୍ୱର ,ଏ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାରେ କେତେ ପିଲା ଅନୁପସ୍ଥିତ ଅଛନ୍ତି ସେ ଡାଟା ଆମ ପାଖକୁ ଆସିନାହିଁ । ପରୀକ୍ଷା ସରିଲେ ତାହା ଜଣାଯିବ । ଯେଉଁ ୧୪ହଜାର ପିଲା ସମିଟିଭ ୧ ପରୀକ୍ଷା ଦେଇନାହାନ୍ତି ସେମାନେ ସମିଟିଭ୍ ୨ ଦେଇପାରିବେ ନାହିଁ । ବାକି ଯେଉଁ ୪ହଜାର କଥା ଉଠିଛି ସେମାନେ କାହିଁକି ଅନୁପସ୍ଥିତ ତାହା ପରବର୍ତୀ ସମୟରେ ଜଣାଯିବ । କିଛି ସାମାଜିକ କାରଣ ଥିବା ଜଣାପଡ଼ୁଛି, କିନ୍ତୁ ଏହାର କଣ ସତ୍ୟାସତ୍ୟ ପରେ ଜଣାଯିବ । ଚଳିତ ମାଟ୍ରିକ ପରୀକ୍ଷାରେ ବହୁ ସଂଖ୍ୟକ ପିଲା ଅନୁପସ୍ଥିତ ରହିବା ଘଟଣାରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସେହିପରି ଗଣଶିକ୍ଷା ସଚିବ ଅଶ୍ୱଥି ଏସ.କହିଛନ୍ତି କାହିଁକି ପିଲାମାନେ ପରୀକ୍ଷା ଦେଇନାହାନ୍ତି ସେ ନେଇ ପୁଣି ହାଉସ୍ ହୋଲ୍ଡ ସର୍ଭେ କରାଯିବ । କଣ କାରଣ ରହିଛି ଜାଣିବୁ । ଯଦି କେହି ମେନ୍ ଷ୍ଟ୍ରିମ୍ କୁ ଆସିବେ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ । ନଚେତ୍ ଯଦି କେହି ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷା ପାଇଁ ଆଗ୍ରହୀ ହେବେ ସେମାନଙ୍କୁ ବ୍ୟବସ୍ଥା କରାଯିବ ବୋଲି ଗଣଶିକ୍ଷା ସଚିବ ପ୍ରତିକ୍ରିୟା ରଖିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ା ୪୨୫ ଜଣ, ଜଗତସିଂହପୁରରେ ୨୩୫ ଜଣ, ଖୋର୍ଦ୍ଧାରେ ୪୯୪ ଜଣ, କୋରାପୁଟରେ ୬୮୬ ଜଣ, ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ସେହିଭଳି ବାଲେଶ୍ୱରରେ ୧୧୫୮, ବଲାଙ୍ଗୀରରେ ୧୧୯୯ ଜଣ, କଳାହାଣ୍ଡିରେ ୭୬୬ ଜଣ, ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ଶହରୁ ଅଧିକ ପିଲା ପରୀକ୍ଷା ଦେଇନାହାନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାର ସମେଟିଭ୍-୧ରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।