ଭୁବନେଶ୍ୱର , ଜଙ୍ଗଲି ଜନ୍ତୁଙ୍କ ଶୀକାର ଯୋଗୁଁ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଗତକାଲି କନ୍ଧମାଳ ଜିଲ୍ଲାରୁ ନିଆଁ ଲଗାଇବା ବେଳେ ଜଣେ ଶିକାରୀ ଧରା ପଡିଛି ବୋଳି ଜଙ୍ଗଲ ନିଆଁ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ପିସିସିଏଫ ଦେବୀଦତ ବିଶ୍ୱାଳ ।
ସେ କହିଛନ୍ତି ଯେ ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି । ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି । ନିଆଁ ଲିଭାଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି । ନିଆଁ ଲଗାଉଥିବା ବେଳେ ଧରା ପଡିଲେ କେସ୍ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଆଁ ଲାଗିବା ନେଇ ଖବର ଦେଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଜଙ୍ଗଲୀ ଜନ୍ତୁ ମାଡି ଆସିବା ନେଇ ବନ ବିଭାଗ ଆଲର୍ଟ ଅଛି । ଯେଉଁଠି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ଜଣାଇବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସେ ଆହୁରି କହିଛନ୍ତି ଆଜି ୧୨୦୦ ପଏଂଟରେ ନିଆଁ ଲାଗିଛି ଯାହା କି ବଢ଼ିକି ୧୫୦୦ ହୋଇପାରେ । ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରେସପନ୍ସ ୯୭ ପ୍ରତିଶତରୁ ଅଧିକ । ଶିଖରଚଣ୍ଡୀ ରେ ଲାଗିଥିବା ନିଆଁ ଆୟତ ହୋଇ ସାରିଛି ।ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ବୋଲି କହିଛନ୍ତି ପିସିସିଏଫ୍ ।