ଭୁବନେଶ୍ୱର, ବିଭିନ୍ନ ଦାବି ନେଇ ମନରେଗା ଶ୍ରମିକମାନେ ନିଖିଳ ଓଡ଼ିଶା ଏନ୍ଆର୍ଇଜିଏ ଶ୍ରମିକ ସଂଘ ନେତୃତ୍ୱରେ ବିଧାନସଭା ଅଭିଯାନରେ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଂଚାୟତରାଜ ମନ୍ତ୍ରୀଙ୍କଠାରେ ପାଂଚଦଫା ଦାବିପତ୍ର ଉପସ୍ଥାପନ କରାଯାଇଛି । ସୋମବାର ପୂର୍ବାହ୍ନରେ ମାଷ୍ଟରକ୍ୟାଂଟିନ୍ଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପି.ଏମ୍.ଜି.ଠାରେ ପହଂଚିବା ପରେ ନିଖିଳ ଓଡ଼ିଶା ଏନ୍ଆର୍ଇଜିଏ ଶ୍ରମିକ ସଂଘ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏ.ଆଇ.ଟି.ୟୁ.ସି.ର ସର୍ବଭାରତୀୟ ଉପସଭାପତି କମ୍ରେଡ ବିଦ୍ୟାସାଗର ଗିରି, ଏ.ଆଇ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବି.କେ.ଏମ୍.ୟୁ. ରାଜ୍ୟ ସମ୍ପାଦକ ସୁର ଜେନା, ସଂଘର ସାଧାରଣ ସମ୍ପାଦକ ସୋମନାଥ ଗିରି ପ୍ରମୁଖ ନେତୃବୃନ୍ଦ ଉଦ୍ବୋଧନ ଦେଇଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସଂଘ ପକ୍ଷରୁ ଉପସ୍ଥାପିତ ଦାବିଗୁଡ଼ିକ ହେଉଛି – ଏନ୍ଆର୍ଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୫୦ ଦିନ ନିଶ୍ଚିତ କର୍ମନିଯୁକ୍ତି ପ୍ରଦାନ କରାଯାଉ, ଏନ୍ଆର୍ଇଜିଏ ଶ୍ରମିକଙ୍କ ଦୈନିକ ମଜୁରୀ ୭୦୦ ଟଙ୍କା ପ୍ରଦାନ ବ୍ୟବସ୍ଥା କରାଯାଉ,ଏନ୍ଆର୍ଇଜିଏ ଶ୍ରମିକମାନଙ୍କ ସାମାଜିକ ନିରାପତା ପାଇଁ ଗ୍ରାମ ଉନ୍ନୟନ ସଂସ୍ଥା, ପଂଚାୟତିରାଜ ଓ ଏନ୍ଆର୍ଇଜିଏର ବ୍ୟୟ ରାଶିର ୨% ସେସ୍ ଆକାରରେ ଆଦାୟ କରି “ଏନ୍ଆର୍ଇଜିଏ ଶ୍ରମିକ କଲ୍ୟାଣ ବୋର୍ଡ଼” ଗଠନ କରି ଏହି ନିଶ୍ଚିତ କର୍ମନିଯୁକ୍ତ ଶ୍ରମିକ ପରିବାରବର୍ଗଙ୍କ ଚିକିତ୍ସା ବ୍ୟୟ, ଛାତ୍ରବୃତ୍ତି, ଝିଅ ବାହାଘର, ଗୃହ ନିର୍ମାଣ, ୬୦ ବର୍ଷ ହେଲେ ମାସିକ ୩ ହଜାର ଟଙ୍କା ପେନ୍ସନ୍, ବିୟୋଗ ହେଲେ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ,ଏନ୍ଆଇଇଜିଏ ପାଇଁ କେନ୍ଦ୍ର ବଜେଟ୍ରେ ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଉ, ଏନ୍ଆର୍ଇଜିଏ ଅର୍ଥରେ ମେସିନ୍ କାମ କରିବା ବନ୍ଦ କରି ନିଶ୍ଚିତ କର୍ମନିଯୁକ୍ତି ବ୍ୟବସ୍ଥାରେ ଗ୍ରାମୀଣ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ବ୍ୟବସ୍ଥା କରିବା ଇତ୍ୟାଦି ।