
ନୂଆଦିଲ୍ଲୀ, ଚତୁର୍ଥ ୱାଇ୨୦ ପରାମର୍ଶ ବୈଠକ ପୁଣେ ସ୍ଥିତ ସିମ୍ବାଓସିସ୍ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ (ଏସ୍ଆଇୟୁ) ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ୍ର ଅଧ୍ୟକ୍ଷ ଡଃ. ସନ୍ଦୀପ ୱାସ୍ଲେକର ଏହି ବୈଠକରେ ମୁଖ୍ୟ ବକ୍ତା ଥିଲେ । ଏହି ଅବସରରେ ପ୍ରଫେସର (ଡଃ) ଏସ୍ . ବି . ମୁଜୁମଦାର, ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ, ସିମ୍ବାଓସିସ୍ ଏବଂ କୁଳପତି, ଏସ୍ଆଇୟୁ, ଡକ୍ଟର ବିଦ୍ୟା ୟେରୱଡେକର, ପ୍ରୋ ଚାନସେଲର, ଏସ୍ଆଇୟୁ, ଶ୍ରୀ ପଙ୍କଜ ସିଂ ନିର୍ଦ୍ଦେଶକ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଅନମୋଲ ସୋଭିଟ୍, ଚେୟାର୍ ୱାଇ୨୦ ଭାରତ ଏବଂ ରଜନୀ ଗୁପ୍ତେ, କୁଳପତି, ଏସ୍ଆଇୟୁ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ମୁଁ ପୁଣେକୁ ଆସି ବହୁତ ଆନନ୍ଦିତ ଅଟେ, ପୁଣେ ଏମିତି ଏକ ସହର, ଯାହା ଏହାର ଉତ୍ପାଦନ ଉଦ୍ୟୋଗ ପାଇଁ ବେଶ୍ ଜଣାଶୁଣା, ଯେଉଁଠାରେ ବିଶ୍ୱର ଅନେକ ବୃହତ ଅଟୋମୋବାଇଲ ଉଦ୍ୟୋଗ, ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡିକ ରହିଛି । ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ତଥା ଏକ ଅଗ୍ରଣୀ ଶିକ୍ଷା କେନ୍ଦ୍ର ଭାବରେ ପୁଣେର ସୁନାମକୁ ଅତିରିକ୍ତ ପ୍ରଶଂସା କରିବା ଆବଶ୍ୟକ ନାହିଁ । ୧୦ ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୧୦୦ ଟି ଅନୁଷ୍ଠାନ ଗୁଡିକ ସହିତ ଏହି ସହର ଅନେକ ପିଢ଼ି ଧରି ଜ୍ଞାନ ଏବଂ ସଂସ୍କୃତିର ଏକ ଆଲୋକ ସ୍ତମ୍ଭ ପାଲଟିଛି, ଯାହା ସାରା ବିଶ୍ୱର ଛାତ୍ର ତଥା ବିଦ୍ୱାନ ମାନଙ୍କୁ ଆକର୍ଷିତ କରିଥାଏ । ସିମ୍ବାଓସିସ୍ ପରି ଅନୁଷ୍ଠାନ ସମଗ୍ର ବିଶ୍ୱରେ ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ । ଏହି ୱାଇ୨୦ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଏହା ଠାରୁ ଏକ ଉତ୍ତମ ସ୍ଥାନ ଆଉ କିଛି ହୋଇପାରିବ ନାହିଁ । ଏହିପରି ଅନୁଷ୍ଠାନ ଗୁଡ଼ିକ ପରିବର୍ତ୍ତନର ମଞ୍ଜି ବପନ କରିଥାନ୍ତି ଏବଂ ତାହାର ପାଳନ ପୋଷଣ କରନ୍ତି । ”