ମାଲକାନଗିରି, ବିଦ୍ୟାଳୟର ଚିହ୍ନବର୍ଣ୍ଣ ନାହିଁ । ଅଥଚ ଏଠାରେ ପଢୁଛନ୍ତି ୨୦ ପିଲା । ୮ ଜଣ ଝିଅ ଓ ୧୨ ଜଣ ପୁଅ । ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଛି । ନିଯୁକ୍ତି ପାଇଥିବା ଦୁଇ ଜଣ ଶିକ୍ଷକ ଦରମା ବି ପାଉଛନ୍ତି । ହେଲେ ବିଡମ୍ବନାର କଥା ସ୍କୁଲ ନଥାଇ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନ ସବୁ କିଛି ଚାଲିଛି କାଗଜ କଲମରେ । ଦୀର୍ଘ ୮ ବର୍ଷ ଧରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳି ଚାଲିଛି ପ୍ରଶାସନ । ସ୍କୁଲ ଭୁଶୁଡ଼ି ପଡ଼ି ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରୁନାହିଁ ପ୍ରଶାସନ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମରେ । କୁଟୁନିପଦର ଗାଁକୁ ଲାଗିରହିଛି ନୂଆଗୁଡା ଗାଁ । ଉଭୟ ଗାଁର ପିଲା ସଂଖ୍ୟା ପ୍ରାୟ ୬୦ । ସେମାନଙ୍କ ମଧ୍ୟରୁ ସରକାରୀ କାଗଜ ପତ୍ରରେ ରହିଛି ମାତ୍ର ୨୦ ପିଲାଙ୍କ ନାମ ଲେଖା ଯାଇଛି । ଅନ୍ୟ ୪୦ ପିଲାଙ୍କ ଠିକଣା ପାଉନି ପ୍ରଶାସନ ।
୨୦୧୪ ପୂର୍ବରୁ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଥିଲା । ସାମୁଦ୍ରିକ ଝଡ଼ ହୁଡହୁଡ୍ ରେ ଅର୍ଥାତ୍ ୨୦୧୪ ରେ ଉଡିଗଲା ସ୍କୁଲର ଛାତ। ମାଟିରେ ମିଶିଗଲା ସ୍କୁଲ । ତା ପର ଠାରୁ ଶିକ୍ଷା ବିଭାଗର କୌଣସି ଅଧିକାରୀ କିମ୍ବା ପ୍ରଶାସନ ବାବୁଙ୍କ ପାଦ ପଡିନି ଏଠାରେ । ଥରୁଟିଏ ହେଲେ ବିଭାଗୀୟ ବଡ଼ ପଣ୍ଡାମାନେ ସ୍କୁଲ ଚାଲିଛି କି ନାହିଁ ଦେଖିବାକୁ ଆସୁନାହାନ୍ତି । ଦୀର୍ଘ ୮ ବର୍ଷ ହେଲା ପାଠପଢ଼ା ସମ୍ପୂର୍ଣ ଠପ୍ । ନିଯୁକ୍ତି ପାଇଥିବା ଦୁଇ ଶିକ୍ଷକ କାଁ ଭାଁ କେମିତି ଆସୁଛନ୍ତି । ଏବେ ବିଦ୍ୟାଳୟ ବନ୍ଦ ଥିବାରୁ ଗାଁର ପିଲାମାନେ ପଥର ଫଟାଇବା, କେନ୍ଦୁ ପତ୍ର ତୋଳିବା, ମହୁଲ ସଂଗ୍ରହ କରିବା, ଗାଇ ଗୋଠ ଜଗିବା କାମ କରିବା ସହ ବାଟୁଳି ଧରି ସକାଳ ହେଲେ ବଣ ଜଙ୍ଗଲରେ ଘୁରି ବୁଲୁଛନ୍ତି । ପାଠରୁ ବଞ୍ଚିତ ହେବା ପରେ ଏପରି ଭାବରେ ଘୁରି ବୁଲୁଛନ୍ତି । ଏବେ ଉଭୟ ଗାଁର ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି। ମଧ୍ୟାହ୍ନ ଭୋଜନ ଦିଆଯାଉନି । ସରକାରଙ୍କ ଅନୁଦାନ ଯାଉଛି କୁଆଡେ, ଖାଉଛି କିଏ, ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ଏହାର ଜବାବ ଦିଅନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ଭିିଜିଲାନ୍ସ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଖବର ପ୍ରସାରଣ ପରେ ଆଗାମୀ ଦିନରେ ଏହାର ନିରପେକ୍ଷ ତଦନ୍ତ କରାଯାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।