ବଲାଙ୍ଗିର, ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ରୋଗରେ ପୀଡ଼ିତ ହୋଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିବା, ୧୨ ବର୍ଷର ନାବାଳିକା ଝିଅକୁ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧକ ରଖି ପତ୍ନୀ ସ୍ଵାମୀର ମୃତଦେହ ଧରି ଗୁରୁବାର ନିଜ ଗାଁ ବେଲପଡ଼ା ବ୍ଲକ ବନମାଳକୁ ଫେରିବା ଭଳି କରୁଣ ଚିତ୍ର ଏଠାରେ ଦେଖିବାକୁ ମିଳିଛି । ୪୨ ବର୍ଷିୟ ମୃତକ ଶୁକଦେବ ପରାଭୁଏଙ୍କ ସେହିଦିନ ଶବ ସତ୍କାର କରାଯାଇଛି । ତେବେ ଇଟାଭାଟି ମାଲିକ ଶବ ସତ୍କାର ପାଇଁ ଶୁକଦେବଙ୍କ ପରିବାରକୁ ଟଙ୍କାଟିଏ ବି ସହାୟତା ଦେଇନଥିବା ଜଣାପଡିଛି । ଅବଶ୍ୟ ଜିଲ୍ଲା ଶ୍ରମ ବିଭାଗର ଯୋଗାଯୋଗ ପରେ ଇଟାଭାଟି ମାଲିକ ବନ୍ଧକ ଥିବା ଶୁକଦେବଙ୍କ ଝିଅ କୈକେୟୀଙ୍କୁ ଛାଡିଛି । ଗତକାଲି ସେ ତାଙ୍କ ମାମୁଁଙ୍କ ସହ ଗାଁରେ ପହଂଚିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶୁକଦେବ ୪ ମାସ ତଳେ ପତ୍ନୀ ଉଷା ଓ ଦୁଇ ପୁଅ ଝିଅଙ୍କୁ ଧରି ଗ୍ରାମର ୨ ଜଣ ଦଲାଲଙ୍କ ଜରିଆରେ ଇଟାଭାଟିରେ କାମ କରିବାକୁ ୬୦ ହଜାର ଟଙ୍କା ଅଗ୍ରୀମ ନେଇ ତେଲେଙ୍ଗାନା ଯାଇଥିଲେ । ତେବେ ସେଠାକାର ଅସ୍ଵାସ୍ଥ୍ୟକର ପରିବେଶ ଓ ଅଧିକ ପରିଶ୍ରମ ଯୋଗୁ ଶୁକଦେବ ରୋଗଗ୍ରସ୍ତ ହୋଇପଡିଥିଲେ । ତାଙ୍କ ସ୍ଵାସ୍ଥ୍ୟରେ ଅବନତି ଦେଖାଦେଇଥିଲା । ଡାକ୍ତରଖାନା ନେଇ ଚିକିତ୍ସା କରାଇବାକୁ ସେ ଇଟାଭାଟି ମାଲିକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ, କୌଣସି ସୁଫଳ ମିଳିନଥିଲା । ଫଳରେ ଉପଯୁକ୍ତ ଚିକିତ୍ସା ନପାଇ ଗତ ୮ ତାରିଖରେ ଶୁକଦେବଙ୍କ ମୃତ୍ୟୁ ଘଟିଥିବା ପତ୍ନୀ ଉଷା ଅଭିଯୋଗ କରିଛନ୍ତି । ସେଠାକାର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତି ଦେବାକୁ ଉଦ୍ୟମ କରାଯାଇଥିଲା । ପତ୍ନୀ ଉଷା ଏହା ଜାଣିପାରି ସ୍ଵାମୀଙ୍କ ମୃତଦେହ ଗ୍ରାମକୁ ନେବାକୁ ବ୍ୟବସ୍ଥା କରିବାକୁ ଇଟାଭାଟି ମାଲିକଙ୍କୁ ଅନୁରୋଧ କରିଥିଲେ । ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତଦେହ ପଠାଇବା ବ୍ୟବସ୍ଥା କରିଥିଲେ । ୬ ବର୍ଷର ପୁଅ ପବିତ୍ର ଓ ସ୍ଵାମୀଙ୍କ ମୃତଦେହ ଧରି ଉଷା ଗ୍ରାମରେ ପହଂଚିଥିଲେ । କିନ୍ତୁ, ଶୁକଦେବଙ୍କ ଉପରେ ଟଙ୍କା ବକେୟା ଥିବାରୁ ଝିଅ କୈକେୟୀଙ୍କୁ ଇଟାଭାଟି ମାଲିକ ଜୋର ଜବରଦସ୍ତ ବନ୍ଧକ ରଖିଥିଲା। ବଲାଙ୍ଗିର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ କୈକେୟୀ ସେଠାରୁ ମୁକୁଳି ଗତକାଲି ଗ୍ରାମରେ ପହଂଚିଥିବା ଅତିରିକ୍ତ ଶ୍ରମ ଅଧିକାରୀ ନିୟଞ୍ଜନ ଭୂୟାଁ ସୂଚନା ଦେଇଛନ୍ତି ।