କନ୍ଧମାଳ, ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ତାର ବୟାଳିସ ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳା ରୌପ୍ୟ ଜୟନ୍ତୀ ଅବସରରେ ଗତକାଲି ବନକୁସୁମ ପ୍ରତିଷ୍ଠାନ, ବ୍ରହ୍ମପୁର ସୌଜନ୍ୟରେ ଶିଶୁ କିଶୋର କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳର ବିଶିଷ୍ଟ କବିଙ୍କ ସହ ଶିଶୁ କବିମାନେ ସ୍ଵରଚିତ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ କୁସୁମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ଼ଃ. ମହାପାତ୍ର କନ୍ଧମାଳର ଜଣେ ବିଶିଷ୍ଟ କବି। ଓଡ଼ିଶାର ବହୁ ମଞ୍ଚରୁ ସେ ସମର୍ଦ୍ଧିତ ହୋଇଛନ୍ତି। ତାଙ୍କର କୋଡିଏରୁ ଉର୍ଦ୍ଧ୍ଵ ପୁସ୍ତକ କମଳା ପ୍ରକାଶନୀ ନାମରେ ପ୍ରକାଶିତ ହୋଇ ସାରିଲାଣି। ପୁସ୍ତକ ମେଳାର ନବମ ଦିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ମହାନ୍ତି ସଭାପତି ଥିଲା ବେଳେ ମୁଖ୍ୟ ଅତିଥି ବନକୁସୁମର ପ୍ରତିଷ୍ଠାତା ସମ୍ପାଦକ କାଳନ୍ଦୀ ଚରଣ ନାୟକ, ମୁଖ୍ୟବକ୍ତା ଶଙ୍କର୍ଷଣ ପାତ୍ର, ସମ୍ମାନିତ ଅତିଥି ପ୍ରଫୁଲ୍ଲ ମହାନ୍ତି ଓ ସୁଭାଷ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲା ବେଳେ ରାମକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ପରେ ବ୍ରହ୍ମପୁରର ସୌଦାମିନୀ ମିଶ୍ର ଓ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ବହୁ ଶିଶୁ କବି କବିତା ପାଠ କରିଥିଲେ। ପ୍ରସନ୍ନ ପଣ୍ଡା, ରବୀନ୍ଦ୍ର ନାଥ ମିଶ୍ର, ବନବିହାରୀ ନନ୍ଦ, କୈଳାଶ ଚନ୍ଦ୍ର ଧଳ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।