ମାଲକାନଗିରି, ମାଲକାନଗିରି ଉପ କାରାଗାରରେ ୪୨୪ ଜଣ ବିଚାରାଧୀନ କଏଦୀଙ୍କ ପାଇଁ ସ୍ଥାନ ଥିବା ବେଳେ ଅଛନ୍ତି ୬୧୪ ଜଣ କଏଦୀ। କାରାଗାରରେ ନିର୍ଦ୍ଧାରିତ ଠାରୁ ଅଧିକ କଏଦୀ ଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଜେଲ ବିଭାଗ ଡିଜି। କଏଦୀ ସଂଖ୍ୟା କମାଇବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି ଜେଲ ବିଭାଗ ଡିଜି କହିଛନ୍ତି। ଜେଲ୍ ସଂସ୍କାର ସମ୍ପର୍କିତ ମାମଲା ଉପରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟରେ ହାଜର ହୋଇଥିଲେ ଜେଲ୍ ବିଭାଗ ଡିଜି। ମାଲକାନଗିରି ଜିଲ୍ଲାରେ ଥିବା ଏକମାତ୍ର ଉପ କାରାଗାର ଗତ ୧୯୬୦ ମସିହାରେ ନିର୍ମାଣ ହୋଇଥିବା ବେଳେ ଜେଲରେ ମାତ୍ର ୧୦୭ ଜଣ କଏଦୀ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । ତେବେ ୨୦୦୦ ମସିହା ପର ଠାରୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ଓ ଗଞ୍ଜେଇ କେସ ବଢିବା ପରେ ଏହାକୁ ସଂପ୍ରସାରଣ କରାଯାଇ ୨୦୦୨ ମସିହାରେ ୨୧୦ ଓ ୨୦୧୮ ମସିହାରେ ଏହାର କ୍ଷମତା ୪୨୪କୁ ବୃଦ୍ଧି କରାଯାଇଥିଲା। ହେଲେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ଉପ କାରାଗାରରେ ରହିଛନ୍ତି ୬୧୪ ଜଣ ବିଚାରାଧିନ କଏଦୀ ଯାହାର ସଂଖ୍ୟା ଜେଲ ଭିତରେ ରହିଥିବା ଜାଗା ଠାରୁ ଯଥେଷ୍ଟ ଅଧିକ।
ଜେଲ୍ ସଂସ୍କାର ସମ୍ପର୍କିତ ମାମଲା ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟରେ ହାଜର ହୋଇଥିଲେ ଜେଲ୍ ବିଭାଗ ଡିଜି। ମାଲକାନଗିରି ଜିଲ୍ଲା ଉପ କାରାଗାରରେ ବିଚାରାଧିନ କଏଦୀଙ୍କ ସର୍ବାଧିକ ଭିଡ ରହିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଜେଲ ବିଭାଗ ଡିଜି। ହେଲେ ଏଥିରେ ସୁଧାର ଆଣିବା ଲାଗି ମାଲକାନଗିରି ଉପକାରାଗାର ପରିସରରେ ଦୁଇ ମହଲା ବିଶିଷ୍ଟ ଆଉ ଏକ ନୂତନ କୋଠା ନିର୍ମାଣ କରାଯାଉଛି। ୨୦୦ ଜଣ କଏଦୀ ରହିବା ପାଇଁ ଏହି କୋଠା କାମ ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଶେଷ ହେବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ସଞ୍ଜୟ କୁମାର ବର୍ମା ସୂଚନା ଦେଇଛନ୍ତି। ଅପରପକ୍ଷରେ ମାଲକାନଗିରି ଜିଲ୍ଲାର କିଛି ବରିଷ୍ଠ ଓକିଲ ସୂଚନା ଦେଇଛନ୍ତି ଯେ, ମାଲକାନଗିରି ଉପ-କାରାଗାରରେ ବିଚାରାଧିନ କଏଦୀଙ୍କୁ ରଖିବା ଲାଗି ଆଉ ଜାଗା ନଥିବାରୁ ଅନେକ କଏଦୀଙ୍କୁ ବାହାର ଜିଲ୍ଲାକୁ ପଠାଯାଇଛି। କୋଟପାଡ ଜେଲକୁ ୭୦ ଜଣ, କୋରାପୁଟ ଜେଲକୁ ୩୦ ଜଣ ଓ ବିଶମକଟକ ଜେଲକୁ ୭୦ ଜଣ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।