
ଭୁବନେଶ୍ୱର , ଅଙ୍ଗନୱାଡ଼ି ସମେତ ସମସ୍ତ ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା, ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଭତା ସହ ସମସ୍ତ ସମାଜିକ ନିରାପତା ପ୍ରଦାନ ଦାବିରେ ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ଆନ୍ଦୋଳନ କରିବେ ଅଙ୍ଗନବାଡି କର୍ମୀ । ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ୨୮ ମାର୍ଚ୍ଚ ସଂସଦ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସଂଘ ସଭାପତି ଅଶୋକ ଦାଶ କହିଛନ୍ତି ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ଦ୍ୱାରା ଆହୁତ ୧୩ ମାର୍ଚ୍ଚରୁ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ପୂର୍ବରୁ ଗତ ୯ ତାରିଖରେ ଓଡ଼ିଶା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆହୁତ ବୈଠକରେ ଭତା ବୃଦ୍ଧି ଓ ଏସ୍ଏନ୍ପିର ଦର ସଂଶୋଧନ ନେଇ ସାକାରାତ୍ମକ ଆଲୋଚନା ହୋଇଥିବା ନେଇ ଏହି ପରିବର୍ଦ୍ଧିତ ବୈଠକରେ ଆଲୋଚନା କରାଯାଇଥିଲା । ଓଡ଼ିଶା ସରକାର ମହିଳାମାନଙ୍କୁ ବିଭିନ୍ନ ସ୍ଲୋଗାନ୍ରେ ପ୍ରଲୋଭିତ କରୁଥିଲେ ବି ପ୍ରକୃତରେ ସରକାର ରାଜ୍ୟର ୩ ଲକ୍ଷରୁ ଅଧିକ କର୍ମଜୀବୀ ସ୍କିମ୍ ୱାର୍କରଙ୍କୁ ଶୋଷଣ କରୁଥିବା ବିଷୟ ଉପସ୍ଥିତ ଅଙ୍ଗନୱାଡ଼ି ନେତ୍ରୀମାନେ ଚର୍ଚ୍ଚା କରିଥିଲେ ଓ ସରକାରଙ୍କ ପ୍ରତିଶୃତି ଶୀଘ୍ର କାର୍ଯ୍ୟକାରୀ ନହେଲେ ସଂଘ ଆହୁରି ଶକ୍ତିଶାଳୀ ଆନ୍ଦୋଳନ କରିବ ଓ ଏଥିରୁ ଯେଉଁ ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ୧୩ ମାର୍ଚ୍ଚଠାରୁ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ସ୍ଥଗିତ ରଖିବାକୁ ସର୍ବସମ୍ମତ ନିଷ୍ପତି ହୋଇଛି ।