
ଭୁବନେଶ୍ୱର, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଦାର୍ଶନିକ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କର ଦୋଳପୂର୍ଣ୍ଣିମା ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲଫିଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା।
ପ୍ରଫେସର ମହାନ୍ତି ଏବର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚଉଦକୁଲାଟଠାରେ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ରେଭେନ୍ସା କଲିଜିଏଟରୁ ମାଟ୍ରିକ, ପ୍ରେସିଡେନ୍ସି କଲେଜରୁ ବି.ଏ. ଓ କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ. (ଦର୍ଶନ) ପାସ କରିଥିଲେ ଏବଂ ଏହି ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ଜର୍ମାନୀର ଗୋଟିନଜେନ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି. ଉପାଧି ପ୍ରାପ୍ତ ହୋଇଥିଲେ। ସେ ଯୁକ୍ତରାଷ୍ଟ୍ର ଆମେରିକାର ଟେମ୍ପଲ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗରେ ଏମେରିଟସ ପ୍ରଫେସର ଥିଲେ।
ପ୍ରଫେସର ମହାନ୍ତି ଦର୍ଶନଶାସ୍ତ୍ରର ବିଭିନ୍ନ ବିଭାଗ ଉପରେ ୨୦ରୁ ଉର୍ଦ୍ଧ୍ବ ପୁସ୍ତକ ଓ ବହୁସଂଖ୍ୟକ ନିବନ୍ଧ ରଚନା କରିଛନ୍ତି। ଇଂରାଜୀରେ ରଚିତ ତାଙ୍କର ଆତ୍ମଜୀବନୀ ‘ବିଟୁଇନ ଟୁ ୱାର୍ଲଡ଼ : ଇଷ୍ଟ ଏଣ୍ଡ ୱେଷ୍ଟ’ ୨୦୦୨ ମସିହାରେ ପ୍ରକାଶିତ ହୋଇଛି।
ପ୍ରଫେସର ମହାନ୍ତିଙ୍କ ବିୟୋଗରେ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ନାରାୟଣ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।