ଭୁବନେଶ୍ୱର, ପାରାଦୀପ ସମୁଦ୍ରରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ସେଂଟ୍ରାଲ ଫୋରେନସିକ ସାଇନ୍ସ ଲ୍ୟାବ୍(ସିଏଫଏସଏଲ) ପଠାଯିବ । ଗତକାଲି ରାଜ୍ୟ ଫୋରେନସିକ ଲ୍ୟାବକୁ ପାରାକୁ ଅଣାଯାଇଥିବା ବେଳେ କୌଣସି ନିଷ୍କର୍ସରେ ପହିଂପାରିନାହାନ୍ତି । ତେଣୁ ସନ୍ଦିଗ୍ଧ ପାରାକୁ କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ ସିଏଫଏସଏଲକୁ ପଠାଯିବ । ସେଠାରେ ପାରା ଦେହରେ ଥିବା ଲେଖା ଓ ଡିଭାଇସ୍ ଯାଂଚ ହେବ । ଜଗତସିଂହପୁର ଏସ୍ପି ରାହୁଲ ପି.ଆର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପାରା ଦେହରୁ ଜବତ ସ୍ପାଏ କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଚିପ ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଯାଂଚ କରାଯିବ । ବିଶେଷଜ୍ଞମାନେ ଇଲେକ୍ଟ୍ରୋନିକ୍ସ ଡିଭାଇସଗୁଡିକରେ କ’ଣ ତଥ୍ୟ ରହିଛି ସେସବୁର ଆନାଲିସିସ୍ କରିବେ । ତା’ପରେ ସବୁକିଛି ସ୍ପଷ୍ଟ ହେବ ।
ସୂଚନାଯୋଗ୍ୟ ଯେ ପାରାଦୀପ ମୁହାଣ ଦେଇ କିଛି ମତ୍ସ୍ୟଜୀବୀ ଟ୍ରଲରରେ ମାଛ ଧରୁଥିବା ବେଳେ ଗୋଟିଏ ପାରା ଟ୍ରଲର ଚାରି ପାର୍ଶ୍ୱରେ ଘୂରି ବୁଲୁଥିଲା । ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଖଞ୍ଜା ହୋଇଥିବା ଓ ସେଥିରେ ବିଦେଶୀ ଭାଷାରେ ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ପରେ କୌଶଳ କରି ପରାକୁ ଧରିଥିଲେ । ବୁଧବାର ମତ୍ସ୍ୟଜୀବୀମାନେ କୂଳକୁ ଆସି ପାରାକୁ ପାରାଦୀପ ମେରାଇନ୍ ଥାନା ପୁଲିସ୍ କୁ ହସ୍ତାନ୍ତର କରିଥିଲେ । ଗୁରୁବାର ସନ୍ଦିଗ୍ଧ ପାରାକୁ କଟକରୁ ଭୁବନେଶ୍ୱରସ୍ଥିତ ଫୋରେନସିକ ଲ୍ୟାବକୁ ଅଣାଯାଇଥିଲା ।