କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉ ମାନଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ୱର୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି। ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ଥର ହୋଇଥାଏ। ଏହା ସାଧାରଣତଃ ବିଜୟାଦଶମୀ (ଦଶହରା), ପୌଷପୂର୍ଣ୍ଣିମା(ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ(ରଥ ଉପରେ ) ଦିନ ଅନୁଷ୍ଠିତ ହୋଇଥାଏ।ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ର ଦେବତା ବୋଲି ଘୋଷଣା କରିଥିଲେ। ଏପରିକି ରାଜା କପିଳେନ୍ଦ୍ରଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଓ ପୁତ୍ର ବୋଲି ଏକ ଶିଳାଲିପିରେ ଉଲ୍ଲେଖ କରିବା ସହିତ ପ୍ରଚୁର ପରିମାଣରେ ସୂର୍ଣ୍ଣ ,ରୌପ୍ୟ, ମଣି,ମୁକ୍ତା , ହୀରା, ନୀଳା ଇତ୍ୟାଦି ମୂଲ୍ୟମାନ ରତ୍ନ ଅଳଙ୍କାର ଶ୍ରୀଜୀଉମାନଙ୍କୁ ଅର୍ପଣ କରିଥିବାରୁ ସେ ସମୟରେ ରୀତି, ନୀତି ଓ ପରମ୍ପରାକୁ ନେଇ ସୁନାବେଶର ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ସୁନାବେଶରେ ଐଶୂର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ। ଗବେଷକମାନେ ସୁନାବେଶର ଉତ୍ପତ୍ତି ୧୨୩୨ ଖ୍ରୀଷ୍ଟାବ୍ଦ ବୋଲି ନିରୂପଣ କରିଛନ୍ତି। ବର୍ଷ ମଧ୍ୟରେ ମୋଟ ୫ଥର ସୁନାବେଶ ମଧ୍ୟରୁ ୪ଟି ସୁନାବେଶ ବା ରାଜବେଶ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହେଉଥିବାବେଳେ ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ଵାର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହମାନ ସୁନା ବେଶକୁ ସର୍ବ ଧର୍ମ, ସର୍ବ ମତବାଦର ଜନସାଧାରଣ ତଥା ଭକ୍ତଗଣ ଦର୍ଶନ କରିଥାନ୍ତି। ସୁନା ବେଶର ଅନ୍ୟ ନାମ ହେଉଛି ରାଜବେଶ ଓ ରାଜରାଜେଶ୍ଵର ବେଶ । ବଡ ତଢ଼ାଉବେଶ ବେଶ ସମ୍ପର୍କରେ ଜଣାଯାଏ ଯେ, ୧୯୪୦ ଖ୍ରୀ.ଅ.ର ରାଜା କପିଳେନ୍ଦ୍ର ଦେବ ଦେବୀ ମା’ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦକ୍ଷିଣ ବିଜୟ କରି ୧୬ ଗୋଟି ହସ୍ତୀ ପୁଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କୁ ଉତ୍ସଗ କରିଥିଲେ । ଏହି ନୀତି ୩୨ମୂର୍ତି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ । ଏହା ସାଙ୍ଗକୁ ବେଶ ସମୟରେ ଠାକୁରମାନଙ୍କୁ ୫ଖଣ୍ଡ ପୁଷ୍ପମାଳ ଲାଗି କରାଯାଏ ।ଶ୍ରୀଜିଉଙ୍କ ରାଜବେଶରେ ସୁବର୍ଣ୍ଣ ଶ୍ରୀଭୁଜ-୪ ଗୋଟି,କିରୀଟ-୩ଗୋଟି,ଶ୍ରୀପୟର-୪,କର୍ଣ୍ଣ(କାନ)-୬,ଓଡିଆଣୀ-୩,ଚନ୍ଦ୍ରସୁର୍ଯ୍ୟ-କୁଣ୍ତଳ-୪,ଚିତା(ତିଳକ)-୨,ଚନ୍ଦ୍ରିକା-୨,ଘାଘଡା ମାଳି-୧,କଦମ୍ବ ମାଳୀ-୪,ହରିଡା କଦମ୍ବ ମାଳୀ-୧,ବାହାଡା ମାଳୀ-୨,ତାବିଜ ମାଳୀ-୧, ବାଘନଖିମାଳୀ-୧, ସେବତୀମାଳୀ-୩,ହଳ ମୂଷଳ-୨,ଚକ୍ର-୧,ତ୍ରିଶାଖା-୨,ଅଳକା-୩, ଶ୍ରୀମୁଖପଦ୍ମ-୪,ରୂପା ଶଙ୍ଖ-୧,ତଗଡି-୨ ଆଦି ରତ୍ନଅଳଙ୍କାର ବ୍ୟବହୃତ ହୋଇଥିଲା |