ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ। ବୁଧବାର ବିଳମ୍ବିତ ରାତ୍ରିରେ ଏକ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ଏକ ମୃତଦେହ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ। ଘଟଣାରେ ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମୃତକ ଜଣକ ହେଲେ ପଦ୍ମପୁର ଥାନା ଗଡଭାଟି ଗାଁ ର ରୁଦ୍ରମେହର ବୋଲି ସୂଚନା ମିଳିଛି। କୌଣସି ଘଟଣାକୁ ନେଇ ଘରୋଇ ବିବାଦରୁ ଏଭଳି ଜଘନ୍ୟ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଶ୍ଵଶୁର ଘର ଲୋକେ ପିଟି ପିଟି ଜ୍ବାଇଁକୁ ମାରିଦେବା ପରେ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରି ଭ୍ୟାନରେ ଜରି ବସ୍ତାରେ ମୃତଦେହ ପୁରାଇ ଫିଙ୍ଗିବାକୁ ଉଦ୍ୟମ କଲା ବେଳେ ପୋଲିସ ସୂଚନା ପାଇ ଗାଡ଼ି ସହ ଅଭିଯୁକ୍ତଙ୍କୁ କାବୁ କରି ମୃତଦେହ ଜବତ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଖପ୍ରାଖୋଲ ଥାନା ଚାବ୍ରିପାଳି ଗ୍ରାମରୁ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗଡ଼ଭାଟି ଗାଁର ରୁଦ୍ର ମେହେର ବିବାହ କରିଥିଲେ । ତାଙ୍କର ଦୀର୍ଘ ଦିନ ହେବା ପାରିବାରିକ କଳହ ଲାଗି ରହିଥିଲା । ଗତ ବୁଧବାର ଦିନ ତାଙ୍କ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବକୁ ଯାଇଥିଲେ । ଜ୍ବାଇଁ ଓ ଶ୍ଵଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ହାତାହାତି ହୋଇ ଜ୍ବାଇଁର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ଵଶୁର ଘର ଲୋକେ ଉକ୍ତ ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ ଏକ ଭ୍ୟାନ ନମ୍ବର ଓଡି ୦୩ ଏକ୍ସ -୭୦୦୬ ରେ ଜ୍ବାଇଁର ମୃତଦେହକୁ ଏକ ଜରି ବସ୍ତା ମାଧ୍ୟମରେ ଭର୍ତି କରି କୌଣସି ସ୍ଥାନରେ ଫିଙ୍ଗିଦେବା ଉଦ୍ୟମ ବିଫଳ ହୋଇଛି । ପୋଲିସ ବୁଧବାର ରାତ୍ରରେ ଉକ୍ତ ଘଟଣା ବିଷୟରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚାବ୍ରିପାଲ ଗାଁ କୁ ଯାଇ ଉଦ୍ଧବ ମେହେର (୫୫), ଅନିରୁଦ୍ଧ ମେହେର (୧୫), ସୁନିଲ କୁମାର ମେହେର ଓ ଅନ୍ୟ ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି।