କଟକ, ଶୁକ୍ରବାର ଠାରୁ ମାଟ୍ରିକ ସମେଟିଭ ପରୀକ୍ଷା ଆରମ୍ଭ ହେବ । ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଆସନ୍ତାକାଲି ମାଟ୍ରିକ ସମେଟିଭ ପରୀକ୍ଷା ଦେବେ । ୩୨୧୮ କେନ୍ଦ୍ରରେ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପୂର୍ଣ ହୋଇଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଅଫ ଓଡିଶା ପକ୍ଷରୁ ସୂଚନା ଦିଆଯାଇଛି ।
ବୋର୍ଡ ସଭାପତି ରମାଶିଷ ହାଜରା କହିଛନ୍ତି, ୩୧୬ଟି ନୋଡାଲ ସେଂଟର ରହିଥିବାବେଳେ ୨୨ଟି ପୁଲିସ ଷ୍ଟେସନ ରହିଛି । ସମସ୍ତ ଡିଓମାନଙ୍କୁ ତାଲିମ ଦିଆଯାଇଛି । ଏହାସହ ସମସ୍ତ ସେଂଟର ସୁପରିଣ୍ଡେଂଟମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ।
ସେ କହିଛନ୍ତି, ନୋଡାଲ ସେଂଟରମାନଙ୍କରେ ପରୀକ୍ଷା ପ୍ରଶ୍ନପତ୍ର ପହଂଚି ଯାଇଛି । ପରୀକ୍ଷା ସେଂଟରମାନଙ୍କରେ ପରୀକ୍ଷା ଦିନ ପହଂଚିବ । ପ୍ରତିଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନ ପତ୍ର ପହଂଚିବ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଅନୁସାରେ ପ୍ରଥମ ଥର ପାଇ ଜିଲ୍ଲା ପ୍ରଶାସନ ଏସ୍କର୍ଟ କରି ପ୍ରଶ୍ନପତ୍ର ନେଇଯିବେ । ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଏଣେ ସକାଳ ୮ଟା ରୁ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସେଂଟରରେ ୧ଘଂଟା ପୂର୍ବରୁ ପହଂଚିବାକୁ ଅର୍ଥାତ ସକାଳ ୭ଟାରେ ପହଂଚିବାକୁ କୁହାଯାଇଛି । ତେବେ ପରବର୍ତୀ ଦିନ ମାନଙ୍କର ପିଲା ମାନେ ଏହାର ଦଶ ମିନିଟ ପରେ ମଧ୍ୟ ପହଂଚି ପାରିବେ ।
ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାରରଞ୍ଜନ ମହାନ୍ତି କହିଛନ୍ତି ଯେ ଖରାକୁ ଆଖି ଆଗରେ ରଖି ପ୍ରଥମ ସିଟିଂରେ ଓ ସକାଳ ୮ଟାରୁ ପରୀକ୍ଷା କରାଯାଉଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବ୍ଲୁ ଓ ବ୍ଲାକ ପେନ, ପେନସିଲ, ଜ୍ୟାମିତି ବାକ୍ସ ନେଇ ଯାଇପାରିବେ । ପରୀକ୍ଷା ହଲରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।
ସେଂଟର ଅଧୀକ୍ଷକ ଓ ସମସ୍ତ ଶିଷକ ଶିକ୍ଷୟତ୍ରୀଙ୍କ ମୋବାଇଲକୁ ଏସଓପି ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି ।
ସେ କହିଛନ୍ତି ଯେ ପରୀକ୍ଷାରେ ୫୦ ପ୍ରତିଶତ ସିଲାବସରୁ ପ୍ରଶ୍ନ ଆସିବ । ତେଣୁ ଛାତ୍ର ଛାତ୍ରୀ ମାନେ ଏହାସହ ଟେକ୍ସଟ ବୁକକୁ ଭଲ ଭାବେ ପଢି ପରୀକ୍ଷା ଦେଲେ ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଦେଇ ପାରିବେ ବୋଲି କହିଛନ୍ତି ।