ପୁରୀ, ପୁରୀ ମରିଚିକୋଟ ଛକ ସ୍ଥିତ ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ଗତକାଲି ରାତିରେ ଲାଗିଥିବା ନିଆଁ ଏବେ ଆୟତରେ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲିଭି ନାହିଁ । ନିଆଁ ପ୍ରଥମ ମହଲା, ଦ୍ଵିତୀୟ ମହଲା ଏବଂ ପରେ ତୃତୀୟ ମହଲାକୁ ବ୍ୟାପିଥିବା ଜଣାପଡିଛି । ମାର୍କେଟ କଂପ୍ଲେକ୍ସ ଭିତରେ ଅଧିକ ସଂଖ୍ୟାରେ କପଡ଼ା ଦୋକାନ ରହିଥିବାରୁ ନିଆଁ ଭିତରେ ଭିତରେ କୁହୁଳୁଥିବା ଦେଖିବାକୁ ମିଳିଛି । ଫଳରେ ଧୂଆଁ କମିବାର ନା ଧରୁନି । ଏହି ଅଗ୍ନିକାଣ୍ଡରେ ୩ ଜଣ ଅଗ୍ନିଶମ କର୍ମଚାରୀ ଓ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ରହିଛନ୍ତି । ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ସହିତ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି ପୂର୍ବାହ୍ନରେ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ନିଆଁ କିପରି ଲାଗିଲା, କିପରି ବ୍ୟାପିଲା ଏବଂ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ଵସ୍ତରିୟ ସହର ଓ ଶ୍ରୀମନ୍ଦିର ନିକଟରେ ଏଭଳି ଅଗ୍ନିକାଣ୍ଡ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପ୍ରକାଶ ଥାଉକି, ଗତକାଲି ହୋଲି ଯୋଗୁଁ ମାର୍କେଟ କଂପ୍ଲେକ୍ସ ବନ୍ଦ ରହିଥିଲା । ଅପରାହ୍ନରେ କଂପ୍ଲେକ୍ସ ଖୋଲିବା ପରେ ସେଠାରେ ଗହଳି ଲାଗି ରହିଥିଲା । ରାତି ୮ଟା ପରେ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା । ୧୬ ଘଂଟା ଧରି ଏହି ନିଆଁ ଲିଭା କାର୍ଯ୍ୟ ଜାରୀ ରହିଛି ।
ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ, ୧୨ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି । କଟକ ଫାୟାର ଅଫିସର ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି । ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି । ୯୦ ଜଣ ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କଂପ୍ଲେକ୍ସ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ପଥ ସଙ୍କୁଚିତ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ଶୀଘ୍ର ନିଆଁକୁ ଆୟତ କରିବାକୁ ଚେଷ୍ଟା ଚାଲିଛି ।