ସୋନପୁର, ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବ୍ଲକ ଛକ ଠାରେ ଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣା ଏବଂ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ହୋଲିକା ଦହନ ସହ ମହାଯଜ୍ଞର ଆୟୋଜନ କରାଯାଇଥିଲା। ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକ ମୀନା ମହାରଣାଙ୍କ ଅଧ୍ୟକ୍ଷତାରେ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦିକା କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ପ୍ରଗତି ନିମନ୍ତେ ନାରୀ ଶକ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ମୀନା ମହାରଣା ବିଶ୍ବ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ନାନା ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସୁବର୍ଣ୍ଣପୁର ପୌର ପରିଷଦର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଗାୟତ୍ରୀ ପରିବାର ମହିଳା ମଣ୍ଡଳ ସଂଚାଳିକା ଭଗବତୀ ରାୟଗୁରୁ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମାଜ ଗଠନରେ ନାରୀଶକ୍ତିର ଭୂମିକା ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସୁବର୍ଣ୍ଣାର ସଂପାଦିକା ମଂଜୁଳା ମିଶ୍ର ପ୍ରାରମ୍ଭିକ ସୂଚନା ଦେବାସହ ବିବରଣୀ ଉପସ୍ଥାପନା କରିଥିଲେ।
ଏହି ଉପଲକ୍ଷେ ସୁବର୍ଣ୍ଣାର ସଭ୍ୟାମାନେ ହୋଲି ଖେଳିବାସହ ହୋଲିକା ଦହନ କରିଥିଲେ। ସୁବର୍ଣ୍ଣାର ଶ୍ରୀମତି ସୁରଭି ବିଶିଙ୍କୁ ସମ୍ବର୍ଦ୍ଧିତ କରିବା ସହ ମୋକ୍ଷଦା ଶର୍ମା ସଂଗୀତ ପରିବେଷଣ କରିଥିଲେ। ଶେଷରେ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।