ସୁବର୍ଣ୍ଣପୁର, ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଗତକାଲି ସ୍ଥାନୀୟ ପ୍ରଭାସ ଲଜ ସମ୍ମୁଖରେ ହୋଲି ଉତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗଦେଇ ମା ସୁରେଶ୍ଵରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ସହ ଗୀତ ନାଚ ଆସର ମେଲୋଡି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଏବଂ ସ୍ବଚ୍ଛ ଭାରତର ଏହି ହୋଲି ଉତ୍ସବ ଆୟୋଜନ ଅଭିନଵ ଢଙ୍ଗରେ ପାଳନ ଏ ଅଞ୍ଚଳ ପାଇଁ ମୁଖ୍ୟ ଆକର୍ଷଣ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗଦେଇ ଏଠାକାର ଏକତା, ଭାଇଚାରା ଓ ଖୁସିର ମାହୋଲକୁ ଦେଖି ଭାବ ବିହ୍ଵଳ ହୋଇଥିଲେ ଏବଂ ଯୁବ ପିଢୀଙ୍କୁ ଅସାମାଜିକ କାର୍ଯ୍ୟକଳାପ, ନାନା ଘଟଣା ଦୁର୍ଘଟଣାରୁ ଦୂରେଇ ରଖିବା, ସମସ୍ତଙ୍କୁ ଏକାଠି କରି ଏକତା ଭାଇଚାରାର ବନ୍ଧନ ରେ ବାନ୍ଧି ରଖିବା ସଂଗଠନର ଏହି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଦର୍ଶକ, ଆୟୋଜକ ଓ ମହିଳାଙ୍କ ସହ ମିଶି ଏସପି ଶ୍ରୀ ପଣ୍ଡା ଓ ଅବକାରୀ ଅଧିକ୍ଷିକା ଶ୍ରୀମତୀ ତ୍ରିପାଠୀ ନାଚିଥିଲେ। ପରସ୍ପରକୁ ରଙ୍ଗ ବୋଳି ହୋଲିର ଖୁବ ମଜା ନେଇଥିଲେ। ଧର୍ମଗଡ଼ ବିଡ଼ିଓ ଶରତ ସେଠି, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀକାନ୍ତ ତ୍ରିପାଠୀ, ଇନ୍ଦୁମତି ପୁରୋହିତ, ପରେଶ ମେହେର ଅତିଥି ଭାବେ ଯୋଗଦେଇ ପରିବେଶ ସ୍ବଚ୍ଛତା ସାଙ୍ଗକୁ ମନର ସ୍ବଛତା ରକ୍ଷାକରି ସାମାଜିକ ଓ ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହେବା ଓ ପରସ୍ପର ମଧ୍ୟରେ ଭେଦଭାବ ଭୁଲି ଏକତା ଭାଇଚାରା ସୃଷ୍ଟି କରିବା ଉତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ ଓ ଦର୍ଶକଙ୍କୁ ଉତ୍ସାହିତ କରି ମିଷ୍ଟାନ ବଣ୍ଟନ କରିଥିଲେ।
ମନୋଜ ପଣ୍ଡାଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମ ଆରମ୍ଭରୁ ସେବା ଶ୍ରମର ଅନ୍ତେବାସୀ ଓ ରାସ୍ତାର ବୁଲା ଭିକାରୀ, ନିରାଶ୍ରୟ ଲୋକଙ୍କୁ ସଂଗଠନର କର୍ମକର୍ତ୍ତା ଖାଦ୍ୟ ପୁଡିଆ ବାଣ୍ଟିଥିଲେ। ଦର୍ଶକଙ୍କ ପାଇଁ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇ କୁଇଜ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସମସ୍ତ ଅତିଥିଙ୍କ ସମେତ ଗାୟକ ଶାଶ୍ଵତ ତ୍ରିପାଠୀ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମ୍ଭାରଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବଚ୍ଛ ଭାରତର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଓ ତନୀଷା ଅଗ୍ରୱାଲା ଅତିଥି ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିବା ବେଳେ କଳା ସଂସ୍କୃତି ଗବେଷକ ଚୌଧୁରି ବିଭାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଶିଷ୍ଟ କଣ୍ଠ ଶିଳ୍ପୀ ଶାଶ୍ଵତ ତ୍ରିପାଠୀ, ପୁରନ୍ଦର ଠେଲା, ବିରେନ ଜଗଦଲା, ପଦ୍ମ ଲୋଚନ ସାହୁଙ୍କ ଦ୍ଵାରା ସଂଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଅତିଥି ଆୟୋଜକ ଓ ଦର୍ଶକଙ୍କ ସହିତ ହୋଲି ଗୀତ ନାଚର ମଜା ନେଇଥିଲେ। ସ୍ଵଚ୍ଛ ଭାରତ ସଂଗଠନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।