ଭୁବନେଶ୍ୱର, ବିଶିଷ୍ଟ କଥାକାର, ଔପନ୍ୟାସିକ, ସଂପାଦକ ତଥା ସଂଗଠକ ବଂଶୀଧର ରାଉତଙ୍କର ଦୋଳପୂର୍ଣ୍ଣିମା ଦିନ ପରଲୋକ ଘଟିଛି । ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁଅ, ଦୁଇ ଝିଅ ଓ ନାତି ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସାହିତ୍ୟିକ ମହଲରେ ଗଭୀର ଲୋକ ପ୍ରକାଶ ପାଇଛି ।
ଶ୍ରୀ ରାଉତ ୧୯୪୯ ମସିହା ସେପେଫମ୍ବର ୧୭ ତାରିଖରେ ରଣପୁର ନିକଟସ୍ଥ ଗଡ଼ବାଣିକିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷାସମାପ୍ତି ପରେ ସେ ସରକାରୀ ଚାକିରିରେ ଭର୍ତି ହୋଇଥିଲେ ଓ ଖୋର୍ଦ୍ଧା ସହରରେ ରହୁଥିଲେ । ଜଣେ ଗାଳ୍ପିକ, ଔପନ୍ୟାସିକ ଓ ନାଟ୍ୟ ନିର୍ଦ୍ଦେଶକ ଭାବରେ ଶ୍ରୀ ରାଉତ ବିଶେଷ ସୁନାମ ଅର୍ଜନ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଜଣେ ନାଟ୍ୟ ନିର୍ଦ୍ଦେଶକ ଭାବରେ ସେ ବେତାର ଓ ଦୂରଦର୍ଶନ ନିମନ୍ତେ ଏକାଧିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଦେଇଥିଲେ । ‘ନୂଆ ସକାଳ’, ‘ପ୍ରତିଦାନ’, ‘ନୂଆ ଦିଗନ୍ତ’, ‘ବିକାଶଧାରା’, ‘ଜୀବନରଙ୍ଗ’ ଓ ‘ସନ୍ତାନ’ ଇତ୍ୟାଦି କେତେକ ଲୋକପ୍ରିୟ ଟେଲିନାଟକ ଓ ଧାରାବାହିକର ସେ ନିର୍ଦ୍ଦେଶନା ଦେଇଥିଲେ । ଉପନ୍ୟାସ ରଚନାରେ ତାଙ୍କର ବିଶେଷ ରୁଚି ରହିଥିଲା । ତାଙ୍କ ରଚିତ ପୁସ୍ତକଗୁଡିକ ମଧ୍ୟରେ ରହିଛି-‘ଗୋପନୀୟ କାହାଣୀ’, ‘ଲକ୍ଷ୍ମଣ ରେଖା’, ‘ପଶାଖେଳ’, ‘ହଜିଲା ଚାନ୍ଦର ମାୟା’, ‘ମନସମୁଦ୍ର’, ‘ବଣଫୁଲର ସୁରଭି’, ‘ଖେଳଘର’, ‘ଅନ୍ଧରାତିର ମୁହଁ’, ‘ମୁଁ ଆଶ୍ରୟ ଚାହେଁ’, ‘ଫୁଲବନ’, ‘ନିଦ୍ରିତ ଈଶ୍ୱର’, ‘ଜଣେ ମନ୍ତ୍ରୀ ଥିଲେ’, ‘ସଂପର୍କ’, ‘ହେ ଈଶ୍ୱର ମତେ ମୃତ୍ୟୁ ଦିଅ’, ‘ଜଙ୍ଗଲ ଯନ୍ତ୍ରଣା’, ‘ଅତୁଠ ବଣିଜ’, ‘ମୋହ’, ‘ମିଛ ମୃତ୍ୟୁ ସଂପର୍କରେ’, ‘କୋମଳ ଆବେଗ’ ଓ ‘ସେତୁବନ୍ଧ’ ଇତ୍ୟାଦି ।
ଶ୍ରୀ ରାଉତ ‘ମହଲ’ ନାମରେ ଏକ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଥିଲେ ଓ ନାନା ଘାତପ୍ରତିଘାତ ମଧ୍ୟରେ ସେହି ପତ୍ରିକାକୁ ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ପ୍ରକାଶ କରୁଥିଲେ । ନିଜର ସାରସ୍ୱତ ଅବଦାନ ନିମନ୍ତେ ସେ ଉତ୍କଳ ସାହିତ୍ୟ ସମାଜ, ପ୍ରଜାତନ୍ତ୍ର ପ୍ରଚାର ସମିତି ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହୋଇଥିଲେ ।
ଶ୍ରୀ ରାଉତଙ୍କ ମରଶରୀର ପ୍ରଥମେ ତାଙ୍କ କର୍ମଭୂମି ଖୋର୍ଦ୍ଧାକୁ ନିଆଯାଇଥିଲା ଓ ସେଠାରେ ଅନେକ ସାହିତ୍ୟିକ ଏବଂ ସତୀର୍ଥ ତାଙ୍କର ଶେଷ ଦର୍ଶନ କରିଥିଲେ । ସେଠାରୁ ତାଙ୍କୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିଲା । ବଡ଼ ପୁଅ ବିଶ୍ୱଜିତ (ବାପି) ମୁଖାଗ୍ନି ଦେଇଥିଲେ । ଶ୍ରୀ ରାଉତଙ୍କ ବିୟୋଗରେ ୭ ତାରିଖ ଦିନ ଖୋର୍ଦ୍ଧାରେ ଅନୁଷ୍ଠିତ ପଦ୍ମଜ ଉତ୍ସବରେ ଶୋକପ୍ରସ୍ତାବ ଆଗତପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ଖୋର୍ଦ୍ଧା ସାହିତ୍ୟ ସଂସଦ ଓ ଭୁବନେଶ୍ୱର ସାହିତ୍ୟ ସମାଜ ପକ୍ଷରୁ ଶୋକପ୍ରକଟ କରାଯାଇଥିଲା ।