-
ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି
-
ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସନ୍ତୁଳିତ ଅଟନ୍ତି: କୁଳପତି
ଭୁବନେଶ୍ୱର, ଉତ୍କଳ ବିଶ୍ୱବିଦ୍ୟାଳୟର ‘ସ୍କୁଲ ଅଫ ୱମେନ୍ସ ଷ୍ଟଡିଜ’ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିମ ‘ଡିଜିଟାଲ: ଲିଙ୍ଗଗତ ସମାନତା ପାଇଁ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା’ ରହିଛି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।
କୁଳପତି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ଆମର ସାମାଜିକ ବ୍ୟବସ୍ଥାରେ ଭେଦଭାବ ପରିବର୍ତ୍ତନ କରାଯିବା ଉଚିତ୍। ସେହି ମାନସିକତାକୁ ପରିବର୍ତ୍ତନ କରିବା ସମସ୍ତଙ୍କ ଦାୟିତ୍ୱ। ବର୍ତ୍ତମାନ ଏହା ବଦଳୁଛି କିନ୍ତୁ ରୂପାନ୍ତର କରିବାକୁ ଏହା ଅଧିକ ସମୟ ନେଉଛି। ଛାତ୍ରଛାତ୍ରୀ ପାରମ୍ପାରିକ ବ୍ୟବସ୍ଥାରୁ ଆଧୁନିକକୁ ପରିବର୍ତ୍ତନ ଆଣିପାରିବେ। ଘର କାମ ଠାରୁ ଆରମ୍ଭ କରି ପିଲାମାନଙ୍କୁ ପ୍ରତିପୋଷଣ, ଅଫିସ୍ କାର୍ଯ୍ୟରେ ପରିଚାଳନା ଆଦିରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକ ଦକ୍ଷତା ପ୍ରଦର୍ଶନ କରିଥାନ୍ତି । ରାଜନୀତି, ବ୍ୟବସାୟ ଓ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଆନୁପାତିକ ପ୍ରତିନିଧିତ୍ୱ ସମାନ ନୁହେଁ। ତେବେ ନିରନ୍ତର ଉଦ୍ୟମ ଫଳରେ ସମାଜ ଓ ରାଷ୍ଟ୍ର କ୍ଷେତ୍ରରେ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ବୋଲି କୁଳପତି କହିଛନ୍ତି।
‘ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜ’ ନିର୍ଦେଶକ ପ୍ରଫେସର ଜୟନ୍ତୀ ଦୋରା ସ୍ୱାଗତ ଭାଷଣ ଦେବା ସହିତ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଅଷ୍ଟ୍ରେଲିୟା ସ୍ଥିତ ସ୍ପାର୍କ ଅଫ୍ ଲାଇଟ୍ସର ପ୍ରତିଷ୍ଠାତା ସଂଗୀତା ଭି. ଏବଂ ଆଦିତ୍ୟ ଭାଶିଷ୍ଟ ଜୀବନ କୌଶଳ ସହିତ ଯୁବପିଢ଼ିଙ୍କ ମାନସିକତା, ଛାତ୍ର, ବୟସ୍କ ଏବଂ କର୍ପୋରେଟ୍ସ ମାନସିକ ସ୍ୱାସ୍ଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟପକ୍ଷରେ, କଳା ଐତିହାସିକ (ଫୁଲବ୍ରାଇଟ ପୋଷ୍ଟ-ଡକ୍ଟରାଲ୍ ଫେଲୋ) ଡକ୍ଟର ରାଜଶ୍ରୀ ବିଶ୍ୱାଳ, ମହିଳାମାନଙ୍କ ପାଇଁ ଡିଜିଟାଲ୍ ଆକ୍ସେସ୍ ଓ ଏହା ଝିଅ ମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ? ଡିଜିଟାଲ୍ କ୍ଷତି ଏବଂ ଅନଲାଇନ୍ ସୁରକ୍ଷା, କ୍ଷତିକାରକ ସାମାଜିକ ନୀତି ଏବଂ ଲିଙ୍ଗଗତ ଅସମାନତା ଉପରେ ଆଲୋକପାତ କରିଥିଲେ। ଟେକ୍ନୋଲୋଜି ଅଧିକ ଅତ୍ୟାଧୁନିକ ହେବା ସହିତ ଡିଜିଟାଲ ସାକ୍ଷରତା କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ବୃଦ୍ଧି ପାଉଛି ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ଛାତ୍ରୀ ମିଷା ଦଲାଇଙ୍କୁ ମହିଳା ସଶକ୍ତିକରଣ ପୁରସ୍କାର ସହ ପାଞ୍ଚ ହଜାର ଟଙ୍କା ଅର୍ଥରାଶୀ ପ୍ରଦାନ କରାଯାଇଥିଲା।