
ଖୋର୍ଦ୍ଧା, ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଏବେ ଆକ୍ସନ ମୁଡ୍ ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଏହି ବିସ୍ଫୋରଣ ପରେ ଜିଲା ପ୍ରଶାସନର ଚେତା ପଶିଛି । ଫଳରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ପ୍ରାୟ ୧୭ଟି ସ୍ଥାନରେ ଚଢଉ କରାଯାଇଛି । ଏପରିକି ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୃଥକ୍ ପୃଥକ୍ ଭାବେ ୭ଟି ମାମଲା ରୁଜୁ କରାଯାଇଛି । ଏଥିସହିତ ୬୨ କିଲୋଗ୍ରାମର ବିସ୍ଫୋରକ ଜବତ ହୋଇଛି । ଏନେଇ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ ସାମିଲ୍ ହୋଇଛନ୍ତି । ବେଆଇନ୍ ବାଣ ପ୍ରସ୍ତୁତକାରୀଙ୍କ ଉପରେ ଚଢ଼ଉ କରିବା ପାଇଁ ରାଜସ୍ଵ ବିଭାଗ ଓ ପୋଲିସକୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଆଗକୁ ଦୋଳ ଉତ୍ସବ ଥିବାରୁ ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଉପରେ ଅଙ୍କୁଶ ଲଗାଇବାକୁ ନେଇ ତହସିଲଦାର ଓ ପୋଲିସକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସବୁଜ ବାଣର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।