ମାଲକାନଗିରି, ମାଲକାନଗିରି ଜିଲ୍ଲା ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ରାମ ପ୍ରସାଦ ପାଢ଼ୀଙ୍କ ସଭାପତିତ୍ଵରେ ଗତକାଲି ସ୍ଥାନୀୟ ତଳ ସାହି ବିଦ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଥିଲି, ଖଇରପୁଟ, କୋରକୋଣ୍ଡା, କାଲିମେଳା, କୁଡୁମୁଲୁଗୁମ୍ମା, ପଡିଆ ଓ ମାଲକାନଗିରି ଜିଲ୍ଲା ସଦର ମହକୁମା ବ୍ଲକର ଏନପିଏସ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ରାଜ୍ୟ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ତିନି ଦଫା ଦାବି ରାଜ୍ୟ ସରକାର ପୂରଣ ନକରି ପ୍ର୍ରତିଶୃତି ଦେଇ ପ୍ରତାରଣା କରିବା ବିରୁଦ୍ଧରେ ଜିଲ୍ଲାର ସମସ୍ତ ଏନପିଏସ ଶିକ୍ଷକ, ଜୁନିୟର ଓ ଜେଟିସି ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ଆନ୍ଦୋଳନ ପାଇଁ ଆଗାମୀ ସମସ୍ତ ପରୀକ୍ଷା ଓ ତାଲିମ ସହିତ ବିଭିନ୍ନ କାର୍ଯ୍ୟରୁ ଅବ୍ୟାହତି ଦେବା ପାଇଁ ଶିକ୍ଷକ ସଂଘ କର୍ମକର୍ତ୍ତା ମାନେ ସ୍ମାରକପତ୍ର ଦେଇ ବିଇଓ, ଡିଇଓଙ୍କୁ ଜଣାଇବେ । ଆଗାମୀ ୬ ତାରିଖରୁ କଳା ବ୍ୟାଚ ପିନ୍ଧିବା ସହ ୧୦ ତାରିଖରେ ବ୍ଲକ ସ୍ତରରେ ରାଲି ଓ ୧୫ରୁ ସମୂହ ଛୁଟିରେ ଯାଇ ପ୍ରତିବାଦ କରିବାକୁ ସ୍ଥିର କରିଛନ୍ତି ।
ଏଠାରେ ପ୍ରକାଶ ଥାଉକି, ଗତ ୨୭ ନଭେମ୍ବର ୨୦୨୨ ରେ ରାଜ୍ୟ ମିଳିତ ମହାସଂଘ ଡ଼ାକରାରେ ଲକ୍ଷାଧିକ ଏନପିଏସ ଶିକ୍ଷକ ଲୋୟର ପିଏମଜିରେ ୪ ଦିନ ବ୍ୟାପି ଧାରଣା ଦେଇଥିଲେ । ୨୮୦୦ ଗ୍ରେଡ ପେ ସହ ୬ ବର୍ଷ ଠିକାକୁ ମୂଳ ଦରମାରେ ମିଶାଇ ୬ ଟି ନୋସନାଲ ଇଂକ୍ରିମେଣ୍ଟ ଓ ପୁରୁଣା ପେନସନ ନିମନ୍ତେ ଦାବି କରିଥିଲେ । ଶାସକ ଦଳ ବିଧାୟକଙ୍କ ସହ ବିରୋଧୀ ଦଳ ବିଧାୟକ ଦାବି ବିଚାର ପାଇଁ ସମର୍ଥନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏକ ସଚିବ ସ୍ତରୀୟ କମିଟି ଗଠନ କରି ଲିଖିତ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣରୁ ହଟିଥିଲେ । ପରେ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ୨୯ ଡିସେମ୍ବର ୨୦୨୨ ରେ ରାଜ୍ୟ ଅଭିଯୋଗ ଓ ସାଧାରଣ ପ୍ରଶାସନ ସଚିବ, ରାଜ୍ୟ ଅର୍ଥ ସଚିବ, ବିଦ୍ୟାଳୟ ଗଣ ଶିକ୍ଷ୍ୟା ସଚିବ ଆବାହକତ୍ଵରେ ଆହୁତ ବୈଠକରେ ମିଳିତ ମହାସଂଘ ପ୍ରତିନିଧି ଦଳ ଉପସ୍ଥିତ ରହି ଦାବୀ ଗୁଡିକର ଯଥାର୍ଥତା ଦର୍ଶାଇଥିଲେ । ଆଜିକୁ ୩ ମାସ ପରେ ମଧ୍ୟ ରାଜ୍ୟ ସରକାର ଗୋଟିଏ ହେଲେ ଦାବୀ ପୂରଣ ନକରି ସମୟ ଗଡାଉ ଥିବାରୁ ଜିଲ୍ଲା ଏନପିଏସ ସଂଘ କ୍ଷୋଭ ପ୍ରକାଶ କରିଛି ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଂଘ କର୍ମକର୍ତ୍ତା ରତ୍ନାକର ପାଳ, ପ୍ରଶାନ୍ତ ବେହେରା, କବିନ୍ଦ୍ର ମଲ୍ଲିକ, ଖଗେଶ୍ଵର ରାଉତ, ଅଲେଖ ପାତ୍ର, ପ୍ରଦୀପ ପଟ୍ଟନାୟକ, ପ୍ରଶାନ୍ତ କୁମାର ପରିଡ଼ା, ହରିଶ କର,ଉମା ଶଙ୍କର ଦାଶ, ଆଲୋକ କୁମାର ସାମଲ, ନରେନ୍ଦ୍ର ନିଆଲ, ମଧୁସୂଦନ ନାୟକ, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ଦାଶ ପ୍ରମୁଖ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।