-
ଆଜି ଆସିପାରେ ପୁରୁଷବନ୍ଧୁ ପ୍ରୀତିମାନ ଓ ସହପାଠୀ ମାନସଙ୍କ ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ
ସମ୍ବଲପୁର, ଭିସୁଟ୍ ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରୀ ରଖିଛି ବୁର୍ଲା ପୋଲିସ । ଆଜି ଆସିପାରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ସହପାଠୀ ମାନସ ଟୁଡ଼ୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ (ମିଛଧରା ପରୀକ୍ଷା) ରିପୋର୍ଟ । ସେପଟେ ଚିନ୍ମୟୀ ପାଣିରେ ବୁଡି ପ୍ରାଣ ହରାଇଥିବା କହିଛନ୍ତି ସମ୍ବଲପୁର ଏସପି । ଚିନ୍ମୟୀଙ୍କ ବେକରେ ଥିବା ଦାଗ ଗଳାଚିପି ହତ୍ୟା କାରଣରୁ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ହେଲେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ଗତ ୪ ତାରିଖରେ ଭୁବନେଶ୍ଵର ସ୍ଥିତ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବରେଟୋରୀରେ ପ୍ରୀତିମାନ ଦେ ଓ ସହପାଠୀ ମାନସ ଟୁଡ଼ୁଙ୍କର ପୃଥକ୍ ପୃଥକ୍ ଭାବେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଘଟଣାରେ ପୂର୍ବରୁ ପ୍ରୀତିମାନ ଓ ମାନସଙ୍କ ବୟାନ୍ ରେକର୍ଡ଼ କରିଥିଲା ବୁର୍ଲା ପୋଲିସ । ହେଲେ ବୟାନରେ ତାଳମେଳ ରହୁନଥିବାରୁ ଉଭୟଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଇତିମଧ୍ୟରେ ବୁର୍ଲା ଥାନାରେ କିଛି ଛାତ୍ରଙ୍କ ସମେତ ଚିନ୍ମୟୀଙ୍କୁ ଦେଖିଥିବା ଓ ଜାଣିଥିବା ବିଭିନ୍ନ ବର୍ଗର ପ୍ରାୟ ୩୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ପଚରା ଉଚରା କରିଛି ପୋଲିସ । ଗତ ୩ ତାରିଖରେ ବୁର୍ଲା ପୋଲିସର ଏକ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ଵର ବିଜେବି ନଗର ସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରିଥିଲା । ଚିନ୍ମୟୀଙ୍କ ଲାପଟପ୍ ଓ ଅନ୍ୟାନ୍ୟ କାଗଜପତ୍ରକୁ ଜବତ କରିଥିଲା । ଘର ମାଲିକଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରିଥିଲା । ସେହିପରି ଦୁଇ ଥର ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳ (ବୁର୍ଲା ପାୱାର ଚାନେଲ ବ୍ରିଜ)ରେ ପହଂଚି ଛାନଭିନ୍ କରିଛି । ଗତକାଲି ଉତରାଚଂଳ ଆଇଜିଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ବାପା, ମା ଓ ଭଉଣୀଙ୍କୁ ବୁର୍ଲା ପୋଲିସ ରାତି ୯ଟା ଯାଏଁ ପଚରା ଉଚରା କରିଥିଲା । ସେମାନଙ୍କ ନିକଟରେ କୌଣସି ତଥ୍ୟ ପ୍ରମାଣ ଥିଲେ ଦେବାକୁ କହିଛି ପୋଲିସ ।
ପ୍ରକାଶ ଥାଉକି, ବୁର୍ଲା ଥାନା ପିସି ବ୍ରିଜ୍ ଉପରୁ ପାଣିକୁ ଡେଇଁ ନିଖୋଜ ଥିବା ଚିନ୍ମୟୀଙ୍କ ମୃତଦେହ ଗତ ୧ ତାରିଖ ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁଙ୍କ ଅଭିଯୋଗ କ୍ରମେ ଆଇପିସିର ଦଫା ୩୦୨, ୨୦୧, ୩୦୬, ୩୪ ରେ କେସ୍ ନଂ ୯୬/୨୩ ରେ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାମରେ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ ।