ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତରଦାୟୀ କରିବାପାଇଁ କେତେକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମୋ ସରକାର ଟିମର ଗସ୍ତ ପରେ ରୋଗୀ ମାନଙ୍କ ଫିଡ଼ବେକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତିକରି ମୁଖ୍ୟମନ୍ତୀ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହି ନିଷ୍ପତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏହି ୬ଟି ଜିଲ୍ଲାର ପୋଲିସ ଏସ.ପି. ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହିସବୁ ଜିଲ୍ଲାର ହସପିଟାଲ ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଂଟ ମାନଙ୍କ ପାଇଁ ରେଷ୍ଟ ସେଡ଼ ନିର୍ମାଣ କରାଯିବ ।
ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲଟି ଓ ବର୍ହି ବିଭାଗ ଚିକିତ୍ସା ବିଲଡ଼ିଂ ନିର୍ମାଣ କରାଯିବ । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂତନ ବିଲଡ଼ିଂ ନିର୍ମାଣ କରାଯିବ । ସଦର ମହକୁମା ହସ୍ପିଟାଲରେ ରୋଗ ପରୀକ୍ଷା ପାଇଁ ସମନ୍ୱିତ ଲାବରେଟୋରୀର ଉନ୍ନତକରଣ କରାଯିବ ଏବଂ ଡାୟଲସିସ ୟୁନିଟ୍ ଓ ଆଇସିୟୁ ପ୍ରତିଷ୍ଠା କରାଯିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରର ଏକ ସାଟେଲାଇଟ୍ ସେଂଟର ଭାବେ ବିକଶିତ କରାଯିବ । ଡିପିଏମୟୁ ବିଲଡିଂ ପାଇଁ ଅତିରିକ୍ତ ଭିତିଭୂମି ନିର୍ମାଣ କରାଯିବ ।
ଦେବଗଡ଼ ଜିଲ୍ଲା ସଦର ମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ ।
ଅନୁଗୁଳ ଜିଲ୍ଲାସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦ରୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ ମଧ୍ୟରେ ଏକ ନୂଆ ବିଲଡିଂ ମଧ୍ୟ ନିର୍ମାଣ କରାଯିବ । ଡାୟଲସିସ୍ ୟୁନିଟ୍ର ସମ୍ପ୍ରସାରଣ କରାଯିବ । ଆଇସିୟୁ ୟୁନିଟର ସୁଦୃଢ଼ୀକରଣ ସହିତ ଆନେସଥେସିଆ ୱାର୍କ ଷ୍ଟେସନ, ଅତିରିକ୍ତ ଇଲେକଟ୍ରିକ୍ ଅଟୋଡାଇ ଏବଂ ଅତିରିକ୍ତ ଇସିଜି ମେସିନ୍ ଯୋଗାଇ ଦିଆଯିବ ।
କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦ରୁ ବୃଦ୍ଧି କରାଯିବା ସହିତ ନୂଆ କ୍ୟାମ୍ପସରେ ଷ୍ଟାଫ କ୍ୱାଟର୍ସ, ଆଧୁନିକ ଓପିଡ଼ି ଓ ଆଇ.ସି.ୟୁ ସ୍ଥାପନ କରାଯିବ । ଡାୟଲସିସ୍ ୟୁନିଟ୍ର ସଂପ୍ରସାରର ସହିତ ଦୁଇଟି ଅତିରିକ୍ତ ଆମ୍ବୁଲାନସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ ।
ସୋନପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲଡିଂର ନିର୍ମାଣ କାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ କରାଯିବ । ଏହା ସହିତ ବର୍ତମାନ କାର୍ଯ୍ୟ କରୁଥିବା ଜିଲ୍ଲା ହସ୍ପିଟାଲରେ ସେବାର ମାନ ବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲଟ୍ରାସାଉଣ୍ଡ ମେସିନ, ବିଲରୁବାଇନୋମିଟର, ସେମି ଅଟୋ ଆନାଲାଇଜର, ମଲ୍ଟି ପାରା ମନିଟର ଏବଂ ସିବିସି ମେସିନ ଯୋଗାଇ ଦିଆଯିବ ।
ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲର ବିଲଡ଼ିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏମସିଏଚରେ ଏକ ମର୍ଚୁଆରୀ ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରାଯିବ ।