ମାଲକାନଗିରି,ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ପଞ୍ଚାୟତ ଆର.ଏସ.ସି. ୧୨ ଠାରେ ଚିତ୍ରକୋଣ୍ଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଓ ଆତ୍ମଶକ୍ତୀ ଟ୍ରଷ୍ଟ ର ମିଳିତ ଉଦ୍ୟମରେ ଗତକାଲି ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଥିଲା । ଚିତ୍ରକୋଣ୍ଡା ସମନ୍ବିତ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭି. ଅନ୍ନପୂର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତ ଅଙ୍ଗନୱାଡି କର୍ମୀ, ଗ୍ରାମରୁ ଆସୁଥିବା ମହିଳା ବର୍ଗ, କିଶୋରୀ ବାଳିକା ମାନଙ୍କୁ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭି .ଅର୍ଣ୍ଣପୂର୍ଣ୍ଣା ମହିଳା ଦିବସ ପାଳନର ଉଦ୍ଦେଶ୍ୟ, ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କ ଅତୁଳନୀୟ ଭୂମିକା, ମହିଳା ମାନଙ୍କ ପ୍ରତି କରାଯାଉଥିବା ଅବହେଳା, ସମାଜରେ ଚାଲି ଆସୁଥିବା ମହିଳାଙ୍କ ପ୍ରତି ଲିଙ୍ଗଗତ ଭେଦଭାବକୁ କିପରି ରୋକି ହେବ, ଗ୍ରାମାଞ୍ଚଳରେ ଦେଖା ଦେଉଥିବା ବାଲ୍ୟ ବିବାହକୁ ରୋକିବା ଓ ବାଳିକା ଶିକ୍ଷାକୁ ଗୁରୁତ୍ଵ ଦେବା ଉପରେ ଗୁରୁତ୍ଵର ସହ ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଏହା ପରେ ଆତ୍ମଶକ୍ତି ଟ୍ରଷ୍ଟ ତରଫରୁ ଆସିଥିବା ଚିତ୍ତ ରଞ୍ଜନ ସାହୁ ସମାଜରେ ବାଳିକା ଶିକ୍ଷାର ଗୁରୁତ୍ଵ ନ ଦେବା, ବାଲ୍ୟ ବିବାହର ପରିଣତି, କନ୍ୟା ସନ୍ତାନ ପ୍ରତି କରାଯାଉଥିବା ଅବହେଳା ଭଳି କାର୍ଯ୍ୟଗୁଡିକୁ ରୋକିବା ପାଇଁ ପିତାମାତାଙ୍କ ଗୁରୁତ୍ଵ, ଗ୍ରାମରେ ଥିବା ମୁଖ୍ୟ ବ୍ୟକ୍ତି ବିଶେଷ ଓ ଏହି ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଉପରେ କଥା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବଡପଦର ଓ ରାଲେଗାଡା ପଞ୍ଚାୟତ ଭୁକ୍ତ ଅଙ୍ଗନୱାଡି କର୍ମଚାରୀ ସମୁହ, ସୁପରଭାଇଜର ରଞ୍ଜିତା ପୂଜାରୀ, ଭାନୁମତି ଭତ୍ରା, ଲକ୍ଷ୍ମୀଚମ୍ପା ନାୟକ, ଗାଙ୍ଗି ଶ୍ରୀଗମ ପ୍ରମୁଖ ଯୋଗଦେବା ସହ ଆତ୍ମଶକ୍ତୀ ଟ୍ରଷ୍ଟ ଦ୍ଵାରା ଅନୁପ୍ରେରୀତ ଶ୍ରମଜୀବି ସଂଗଠନ ତରଫରୁ ବିଭୀଷଣ ଗୁଣ୍ଠା ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ । ସର୍ବ ଶେଷରେ ସଭାରେ ଉପସ୍ଥିତ ଥିବା ସମସ୍ତ କିଶୋରୀ ବାଳିକାଙ୍କୁ ଉତ୍ସାହ ପୂର୍ବକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଚିତ୍ରକୋଣ୍ଡା ଦ୍ଵାରା ମ୍ୟୁଜିକ ଚେୟାର, ପୁଚି ଖେଳ ଖେଳାଯାଇ ତାଙ୍କୁ ପୁରସ୍କୃତ କରାଯାଇଥିଲା ।