ସାଲେପୁର, କେନ୍ଦୁପାଟଣା ଜଳସମ୍ପଦ ଉପଖଣ୍ଡ ଅଧିକାରୀଙ୍କ ଅନ୍ତର୍ଗତ ମାହାଙ୍ଗା ବ୍ଲକସ୍ଥିତ ଅଚ୍ୟୁତପୁର ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୮ନମ୍ବର କେନାଲ ଭିତର ପାର୍ଶ୍ଵରେ କେନାଲ ବନ୍ଧ ସୁରକ୍ଷା ଲାଗି ନିର୍ମାଣ କରାଯାଉଥିବା ସୁରକ୍ଷାକାନ୍ଥ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ।
ପ୍ରକାଶ ଯେ, ଏହି କେନାଲ ବନ୍ଧ ବିଭିନ୍ନ ସ୍ଥାନରେ ଦୁର୍ବଳ ହେବା ଫଳରେ ଚଳିତ ଖରିଫ ଋତୁରେ ୮ ନମ୍ବର କେନାଲ ବନ୍ଧ ଓ ତାହାର ଶାଖା ବନ୍ଧ ଗୁଡିକରେ ବାରମ୍ବାର ଘାଇ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଗତ ଖରିଫ ଋତୁରେ ଜଳସେଚନରେ ବହୁ ବ୍ୟାଘାତ ସୃଷ୍ଟି ହୋଇଥିବା ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ବନ୍ଧର ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ, ସୃଷ୍ଟି ହୋଇଥିବା ଘାଇ ସ୍ଥାନରେ ମାତ୍ର ୧୫ ଫୁଟ ଲମ୍ବ ବିଶିଷ୍ଟ ସୁରକ୍ଷାକାନ୍ଥ ନିର୍ମାଣ କରାଯିବା ଫଳରେ ଏହାର ଦୁଇ ପାର୍ଶ୍ଵରେ ପୁନଃ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ନିମ୍ନମାନର ହେବା ସହିତ ବାଲିଗୋଡି ଓ ସିମେଣ୍ଟର ଅନୁପାତ ପରିମାଣ ଠିକ୍ ହେଉନଥିବା ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଚ୍ୟୁତପୁର ଜଳସଂପଦ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନେକ ସମୟରେ ବନ୍ଦ ରହୁଥିବା ବେଳେ କେନ୍ଦୁପାଟଣା ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ନଆସିବାରୁ ଠିକାଦାର ନିଜ ଇଚ୍ଛାରେ କାମ କରିଚାଲିଛି । ଫଳରେ ଏହି କାମର ସ୍ଥାୟିତ୍ଵକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।