ସାଲେପୁର, ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଯେଉଁସବୁ ଯୋଜନା କରୁଛନ୍ତି ତାହା କେବଳ କାଗଜ କଲମରେ । ବାସ୍ତବରେ କିଭଳି ଭାବରେ ଗ୍ରାମାଂଚଳରେ ଧାନମଣ୍ଡି ଚାଲିଛି ତାହାର ଉଦାହରଣ ପାଲଟିଛି ନାହାଙ୍ଗ ସେବା ସେମବାୟ ଅଧିନରେ ଖୋଲିଥିବା ଧାନମଣ୍ଡି । ଏଠି ବେପାରୀ ମାଳମାଳ, ଚାଷୀ ଜଳକା । ଯିଏ ପ୍ରକୃତରେ ଖରା ତରାରେ ବିଲରେ ଖଟି ଧାନ ଅମଳ କରୁଛି ସେ ସରକାରୀ ବ୍ୟବସ୍ଥାରେ ଖୋଲାଯାଇଥିବା ଧାନ ମଣ୍ଡିରେ ଧାନ ବିକ୍ରୟ କରିପାରୁନାହିଁ । ଅପରପକ୍ଷରେ ଯେଉଁ ଚାଷୀମାନଙ୍କର ଅଧିକ ଜମି ରହିଛି, ବଡ ଓ ମଧ୍ୟମ ଧରଣର ଚାଷୀ, ଯେଉଁମାନେକି ଚାଷ କରିନପାରି ଜମିକୁ ଭାଗ ଦେଇଛନ୍ତି ସେହିମାନଙ୍କ ନାମରେ ହିଁ କିଛି ନିର୍ଦିଷ୍ଟ ବ୍ୟବସାୟୀ ଅନ ଲାଇନରେ ଧାନ ବିକ୍ରୟ କରିବା ପାଇଁ ରେଜିଷ୍ଟ୍ରେସନ କରି ଟୋକନ ହାତେଇଛନ୍ତି । ପ୍ରତି ଧାନ ବିକ୍ରୟ ବାରିରେ ମଣ୍ଡିରେ ଧାନ ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି । ଅଭିନବ ଉପାୟରେ ବେପାରୀମାନେ ଧାନ ମଣ୍ଡିରେ ଧାନ ବିକୁଛନ୍ତି। ଏଥିରେ ସେବା ସମବାୟ ସମିତିର କର୍ମଚାରୀ, ମିଲର, ବେପାରୀମାନେ ଜଡିତ ଅଛନ୍ତି ।
ସେହିପରି ସାଲେପୁର ବ୍ଲକର ଚନ୍ଦ୍ରାଦେଇପୁର ସେବା ସମବାୟ ସମିତି, ଓରତି ସେବା ସମବାୟ ସମିତିରେ ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ଦେବାରେ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି । ଅଭିଯୋଗ ସମ୍ପର୍କରେ ସମବାୟ ସମିତିର ସଂପାଦକ ମିଲରମାନେ ଧାନ ନେଉନଥିବା ସଫେଇ ଦେଉଥିବା ବେଳେ ମିଲରମାନେ ଚାଷୀମାନଙ୍କ ଦୋଷ ଦେଉଥିବା ଜଣାପଡିଛି । ବାସ୍ତବପକ୍ଷେ ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ଦେଇ ପାରୁନଥିବା କାରଣ ସ୍ପଷ୍ଟ ହେଉନାହିଁ । ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମତ ଦେଇଛନ୍ତି ।