
ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଅଂଚଳରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଆଜି ପୂର୍ବାହ୍ନରେ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପରେ ଅଧିକ ଚିକିତ୍ସା ନିମନ୍ତେ ଗୁରୁତର ମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଥାନା ଆଇଆଇସି, ବିଡ଼ିଓ, ତହସିଲଦାର ପ୍ରମୁଖ ପହଂଚି ତଦନ୍ତ ଜାରି ରଖିଛନ୍ତି । ଦୋଳ ଉତ୍ସବ ପାଇଁ ଗାଁରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଏହି ବାଣ ପ୍ରସ୍ତୁତି ପାଇଁ ପ୍ରଶାସନ ଠାରୁ କୌଣସି ଅନୁମତି ନିଆଯାଇନଥିବା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତି କହିଛନ୍ତି । ବାଣ ତିଆରି ପାଇଁ ବ୍ୟବହୃତ କଂଚାମାଲ୍ କେଉଁଠୁ ଅଣାଯାଇଛି ତାର ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କୋଭିଡ୍ କଟକଣା ନିମନ୍ତେ ୨ ବର୍ଷ ହେଲା ଦୋଳ ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ସାରା ରାଜ୍ୟରେ ଧୁମଧାମରେ ଏହା ପାଳନ ହେଉଛି । ଏଥିପାଇଁ କାରିଗର ବାଣ ତିଆରି କାର୍ଯ୍ୟରେ ନିୟୋଜିତ ଥିଲେ । ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।