ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲାରେ ଥିବା ୭ଟି ବ୍ଲକ ର ସମସ୍ତ ନୂତନ ପେନସନଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତିବାଦ ସ୍ବରୂପ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟରେ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟ ସରକାର ମିଳିତ ଶିକ୍ଷକ ମହାସଂଘର ୩ଟି ଦାବି ପୂରଣ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ରାଜ୍ୟ ସଂଘ ଡ଼ାକରାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରତିବାଦ କରିଛନ୍ତି । ଜିଲ୍ଲା ଏନପିଏସ ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ ୨୦୦୧ ରେ ଚୁକ୍ତିଭିତ୍ତିକ ନିଯୁକ୍ତି ରାଜ୍ୟ ସରକାର ବିଦ୍ୟାଳୟ ଗଣ ଶିକ୍ଷା ବିଭାଗରେ ଆରମ୍ଭ କରିଥିଲେ । ୧୫୦୦ ଟଙ୍କାରେ ୬ ବର୍ଷ ଗୋତି ଖଟିଥିଲେ ହେଁ ଚୁକ୍ତି ପ୍ରଥା ରାଜ୍ୟ ସରକାର ଗଣଶିକ୍ଷା ବିଭାଗରୁ ନ ଉଠାଇବା ଓ ସମାନ ଯୋଗ୍ୟତା ଧାରୀଙ୍କୁ ଅନ୍ୟାନ୍ୟ ବିଭାଗରେ ୨୮୦୦ ଦେଇ ପ୍ରାଥମିକ ଶିକ୍ଷକଙ୍କୁ ୨୨୦୦ ଗ୍ରେଡ ପେ ଦେଉଛନ୍ତି। ଏହାର ପ୍ରତିବାଦରେ ୨୭ ନଭେମ୍ବର ୨୦୨୨ ରେ କେନ୍ଦ୍ରୀୟ ହାରରେ ଦରମା, ୬ ବର୍ଷ ଠିକା ସମୟ ହିସାବକୁ ନେଇ ମୂଳ ସମୟରେ ମିଶାଇବା ସହ ପୁରୁଣା ପେନସନ ପ୍ରଦାନ ଦାବି କରି ରାଜ୍ୟ ପ୍ରାଥମିକ ଶିକ୍ଷକ ମିଳିତ ମହାସଂଘ ଲୋୟର ପିଏମଜି ଭୁବନେଶ୍ଵରରେ ୪ ଦିନ ଧରି ଆନ୍ଦୋଳନ କରିଥିଲା । ଏହି ସମାବେଶରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମାବେଶ ହୋଇଥିଲା ।
ସଂଘର ଦାବୀ ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ପ୍ରତାରଣା କରି ୩ ମାସ ଗଡ଼ାଇ ଦେଇ ଥିବାରୁ ଏପରି ପ୍ରତିବାଦ କରାଯାଇଛି ବୋଲି ଜିଲ୍ଲା ସଭାପତି ରାମ ପ୍ରସାଦ ପାଢ଼ୀ, ୭ଟି ବ୍ଲକର କର୍ମକର୍ତ୍ତା ପ୍ରଶାନ୍ତ କୁମାର ବେହେରା, ଆଲୋକ କୁମାର ସାମଲ, ରତ୍ନାକର ପାଳ, ନରେନ୍ଦ୍ର ନିହାଲ, ବିବେକାନନ୍ଦ ପଣ୍ଡା, କବିନ୍ଦ୍ର ମଲ୍ଲିକ, ହରିଶ କର, ପ୍ରଶାନ୍ତ କୁମାର ପ୍ରରିଡା, ଅଲେଖ ପାତ୍ର, ଖଗେଶ୍ଵର ରାଉତ, ରମେଶ ନେଲୁର, ଉମାକାନ୍ତ ଦାଶ ପ୍ରମୁଖ ପ୍ରକାଶ କରିଛନ୍ତି ।