ଗଞ୍ଜାମ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ଠାରୁ ଭୁବନେଶ୍ଵର – ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ଵର ଏବଂ ଭୁବନେଶ୍ଵରରୁ ରଙ୍ଗେଇଲୁଣ୍ଡା ଏହି ବିମାନ ସପ୍ତାହରେ ଦୁଇ ଦିନ ଚଳାଚଳ କରିବ । ୫୦ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚିବ ବିମାନ । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସମ୍ପ୍ରସାରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲା ବାସୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ । ବିମାନ ଉଡ଼ାଣର ଶୁଭାରମ୍ଭ ପରେ ଜିଲ୍ଲା ବାସୀ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।