ଗଞ୍ଜାମ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ଠାରୁ ଭୁବନେଶ୍ଵର – ବ୍ରହ୍ମପୁର ମଧ୍ୟରେ ଆରମ୍ଭ ହେବ ବିମାନ ସେବା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ଵର ଏବଂ ଭୁବନେଶ୍ଵରରୁ ରଙ୍ଗେଇଲୁଣ୍ଡା ଏହି ବିମାନ ସପ୍ତାହରେ ଦୁଇ ଦିନ ଚଳାଚଳ କରିବ । ୫୦ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରୁ ରଙ୍ଗେଇଲୁଣ୍ଡାରେ ପହଂଚିବ ବିମାନ । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସମ୍ପ୍ରସାରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲା ବାସୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ ।