ବଲାଙ୍ଗୀର,ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗୀର ନାଗରିକ କମିଟିର ଏକ ସାଧାରଣ ପରିଷଦ ବୈଠକ ସଭାପତି ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗୀରର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ଵାସ୍ଥ୍ୟ, ପୋଖରୀର ପୁନଃରୁଦ୍ଧାର ପାଇଁ ଆସିଥିବା ଅନୁଦାନର ସଠିକ ବିନିଯୋଗ, ବର୍ତ୍ତମାନ ନିଶା ଦ୍ରବ୍ୟରେ କବଳିତ ଯୁବ ସମାଜ ଇତ୍ୟାଦି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ପ୍ରଥମେ ବିଭିନ୍ନ ପ୍ରସ୍ତାବ ଆଗତ କରି ବଲାଙ୍ଗୀର ରେଲୱେ ଷ୍ଟେସନ ଠାରେ ୬ ମିଟର ପ୍ରଶସ୍ତ ବିଶିଷ୍ଟ ଦ୍ଵିତୀୟ ଫୁଟ୍ ଓଭରବ୍ରିଜ୍ ସହ ଏକ ରେମ୍ପ୍ ନିର୍ମାଣ ହେବ ବୋଲି କମିଟିର ସଂପାଦକ ମନୋରଂଜନ ସାହୁ ସଭାରେ ସୂଚନା ଦେଇଥିଲେ । ଏଥିପାଇଁ ରେଲୱେ ବୋର୍ଡ ପକ୍ଷରୁ ପତ୍ର ସଂଖ୍ୟା-୨୦୧୮/ଏଲ୍ ଏମ୍ ମାଧ୍ୟମରେ ହସ୍ତଗତ ହୋଇଥିବା ଜଣାପଡିଛି । ଏଥପାଇଁ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ବିଭିନ୍ନ ଶିକ୍ଷା ଓ ସ୍ଵାସ୍ଥ୍ୟନୁଷ୍ଠାନରେ ଖାଲିଥିବା ବିଭିନ୍ନ ପଦବୀ ଶୀଘ୍ର ପୂରଣ କରିବା ସହ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସଭାରେ ମତପ୍ରକାଶ ପାଇଥିଲା।
ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ଗଜେନ୍ଦ୍ର ଭ୍ରମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ବିମଳ ଚୋପଦାର, ଅଶୋକ କୁମାର ମିଶ୍ର, କିଶୋର ମୋହନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଆର୍ତ୍ତତ୍ରାଣ ମିଶ୍ର, ଦିବାକର ହୋତା, ମନୋରଂଜନ ପୁରୋହିତ, ନରେଶ ଦାଶ, ପଙ୍କଜିନୀ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ କମିଟିର ଉପସଭାପତି ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।