ପୁରୀ, ଭାରତର ଆତ୍ମା ଗ୍ରାମରେ ଥାଏ। ତେଣୁ ଗ୍ରାମ ବିକାଶ ଓ ଗ୍ରାମପଞ୍ଚାୟତକୁ ସଶକ୍ତ କରିବା ଓ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପୁରୀ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ଵପ୍ନାରାଣୀ ସ୍ଵାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଉପଯୋଗ କରାଯାଇ ଗ୍ରାମ ବିକାଶକୁ ତ୍ଵରାନ୍ୱିତ କରାଯାଉଛି ବୋଲି କହିବା ସହ ସମସ୍ତଙ୍କ ସହଯୋଗରେ ପୁରୀ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ କହିଥିଲେ ଯେ, ୧୯୪୮ ରେ ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ କରାଯାଇଥିଲା। ଓଡ଼ିଶାରେ ୧୯୬୨ ମସିହାରେ ବିଜୁବାବୁଙ୍କ ଦ୍ଵାରା ଏହାକୁ ପ୍ରଣୟନ କରାଯାଇଥିଲା। ତେବେ ୧୯୯୨ ଆଜିର ଦିବସରେ ବିଜୁବାବୁଙ୍କ ଦ୍ଵାରା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ସହ ପଞ୍ଚାୟତକୁ ଅଧିକ କ୍ଷମତା, ମହିଳା ସଶକ୍ତିକରଣ, ମହିଳା ମାନଙ୍କୁ ଶତକଡ଼ା ୩୩ ଭାଗ ଓ ପରେ ଶତକଡ଼ା ୫୦ ଭାଗ ସଂରକ୍ଷଣର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ।ପଞ୍ଚାୟତର ବିକାଶ ଓ ଗ୍ରାମ ମାନଙ୍କରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଉପରେ ସେ ଗୁରୁତ୍ଵ ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ଵାଗତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ପୁରୀ ତହସିଲଦାର କ୍ଷିରୋଦ କୁମାର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵପ୍ନେଶ୍ଵର ସାହୁ ପ୍ରମୁଖ ଯୋଗଦେଇ ପଞ୍ଚାୟତିରାଜ ଓ ଲୋକ ସେବା ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ, ପଞ୍ଚାୟତ ପ୍ରତିନିଧି ମାନଙ୍କର ଅଧିକାର ଓ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ।
ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପଞ୍ଚାୟତ ଲୋକ ପ୍ରତିନିଧି, ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।