ସମ୍ବଲପୁର/ଭୁବନେଶ୍ଵର, ଭିସୁଟ୍ ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରୀ ରଖିଛି ପୋଲିସର ତିନୋଟି ଟିମ୍ । ଘଟଣାରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ସହପାଠୀ ମାନସ ଟୁଡ଼ୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ (ମିଛଧରା ପରୀକ୍ଷା) କରାଯିବ । ଭୁବନେଶ୍ଵର ସ୍ଥିତ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବରେ ଏହି ପରୀକ୍ଷା କରାଯିବ । ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ଏଠାକୁ ଅଣାଯାଇଛି । ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇ ଜଣଙ୍କୁ ଭୁବନେଶ୍ଵର ଆଣିଛନ୍ତି । ଆଜି ଉଭୟଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯିବ । ସଂନ୍ଧ୍ୟା ସୁଦ୍ଧା ଏହି ରିପୋର୍ଟ ମିଳିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ତଦନ୍ତକୁ ପ୍ରଭାବିତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଚିନ୍ମୟୀଙ୍କ ବାପା ମା ।
ପୋଲିସର ତିନୋଟି ଟିମ୍ ସୋନପୁର, ବଲାଙ୍ଗିର, ଭୁବନେଶ୍ଵରରେ ତଦନ୍ତ କରୁଛି । ଗତକାଲି ବୁର୍ଲା ପୋଲିସର ଏକ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ଵର ବିଜେବି ନଗର ସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରିଛି । ଚିନ୍ମୟୀଙ୍କ ଲାପଟପ୍ ଓ ଅନ୍ୟାନ୍ୟ କାଗଜପତ୍ରକୁ ଜବତ କରିଛି ପୋଲିସ । ଘର ମାଲିକଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରିଛି । ଗତ ଅକ୍ଟୋବର ୯ ତାରିଖରୁ ଚିନ୍ମୟୀ ସେଠାରେ ରହୁଥିଲେ ।
ସେହିପରି ଗତକାଲି ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳ (ବୁର୍ଲା ପାୱାର ଚାନେଲ ବ୍ରିଜ)ରେ ପହଂଚି ଛାନଭିନ୍ କରିଥିଲା । ପାୱାର ହାଉସ କନିଷ୍ଠ ଯନ୍ତ୍ରୀଙ୍କ ସହ ଘଟଣାସ୍ଥଳରେ ଜଳର ଗଭୀରତା ମାପିବା ସହ ଡ୍ୟାମ୍ ଉଚ୍ଚତା ମାପିଥିଲେ । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ନୁହେଁ ବରଂ ତାଙ୍କ ତଂଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକ । ଅନ୍ୟପକ୍ଷରେ ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ତେବେ ଚିନ୍ମୟୀଙ୍କ ବେକରେ ରହିଥିବା ଦାଗକୁ ନେଇ ସସପେନ୍ସ ବଢିଛି ।
ପ୍ରକାଶ ଥାଉକି, ବୁର୍ଲା ଥାନା ପିସି ବ୍ରିଜ୍ ଉପରୁ ପାଣିକୁ ଡେଇଁ ନିଖୋଜ ଥିବା ଚିନ୍ମୟୀଙ୍କ ମୃତଦେହ ଗତ ୧ ତାରିଖ ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁଙ୍କ ଅଭିଯୋଗ କ୍ରମେ ଆଇପିସିର ଦଫା ୩୦୨, ୨୦୧, ୩୦୬, ୩୪ ରେ କେସ୍ ନଂ ୯୬/୨୩ ରେ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାମରେ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ ।