ଚମ୍ପୁଆ, କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଟୁଣଟୁଣା ଅରଡେଇ ପୋଲ ଉପରୁ ଏକ ବାଲି ବୋଝେଇ ହାଇୱା ଖସି ପଡ଼ିବାରୁ ଘଟଣାସ୍ଥଳରେ ଗାଡିର ହେଲପର ପ୍ରାଣ ହରାଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଡ୍ରାଇଭରର କୌଣସି ଖୋଜ ଖବର ମିଳିନଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜ୍ୟୋତିପୁର ବାଲି ଖଣିରୁ ବାଲି ବୋଝେଇ କରି ଯୋଡା ଆଡ଼କୁ ଦୃତ ଗତିରେ ଯାଉଥିବା ଏହି ବାଲି ବୋଝେଇ ହାଇୱା ନମ୍ବର (ଓଡି୧୪ସି-୩୩୭୯) ଟୁଣଟୁଣା ଗ୍ରାମ ନିକଟରେ ଅରଡେଇ ପୋଲ ଉପରୁ ତଳକୁ ଖସି ପଡିବାରୁ ଗାଡ଼ିର ହେଲପର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି। ମୃତ ହେଲପର ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଗ୍ରାମର ଗୁରୁଚରଣ ନାଏକ ବୋଲି ଜଣାପଡ଼ିଛି। ତେବେ ହାଇୱା ଡ୍ରାଇଭରର କୌଣସି ପତ୍ତା ମିଳିନଥିବା ବେଳେ ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଯାୟୀ, ହେଲପର ନିଜେ ଗାଡି ଚଳାଇ ଦୃତ ଗତିରେ ଆସୁଥିବାରୁ ଏହା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିଦିନ ବାଲିବୋଝେଇ ହାଇୱା ଗୁଡିକ ରାସ୍ତାରେ ଦୃତ ଗତିରେ ଯିବା ଆସିବା କରୁଥିବାରୁ ବିଭିନ୍ନ ସମୟରେ ଛୋଟ, ବଡ଼ ଦୁର୍ଘଟଣା ମାନ ଘଟୁଥିବାର କୁହାଯାଉଛି। ଏହି ଗାଡି ଗୁଡିକ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆ ନ ଯାଏ ଆଗକୁ ଆହୁରି ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ ବୋଲି ମତ ପ୍ରକାଶ ପାଇଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।