ଭୁବନେଶ୍ୱର, ଆସନ୍ତା କାଲି ପଂଚାୟତିରାଜ ଦିବସ କୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି । ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟି ର ଦୁର୍ନୀତି ହେଉଛି । ତାକୁ ବିରୋଧ କରି ଆସନ୍ତା କାଲି ପଂଚାୟତିରାଜ ଦିବସ କୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ବିରୋଧ ପ୍ରଦର୍ଶନ କରାଯିବ । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ରାଜ୍ୟ ସରକାର ପଂଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମା କରୁଛନ୍ତି । ଏପ୍ରିଲ ୨୪ ରେ ସମଗ୍ର ଦେଶ ପଂଚାୟତିରାଜ ଦିବସ ପାଳନ କରୁଛି । କିନ୍ତୁ ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ ରେ ଏହାକୁ ପାଳନ କରୁଛି । ଭ୍ରଷ୍ଟାଚାରର କେନ୍ଦ୍ର ବିନ୍ଦୁ ଆଜି ଓଡ଼ିଶାର ପଂଚାୟତିରାଜ ବ୍ୟବସ୍ଥା ହୋଇଛି । ପଂଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବିହୁ ରେ ଛନ୍ଦି ହୋଇ ଯାଇଛି । ପଂଚାୟତ ରେ କଣ ହେବ ତାହା ଶାସକ ଦଳର ବିଧାୟକ ମାନେ ନିଷ୍ପତ୍ତି ନେଉଛନ୍ତି । ପଂଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି ।