-
ଭାରତରେ ଟେକ୍ନୋଲଜୀ କ୍ଷେତ୍ରରେ ହେଉଥିବା ବଡ ବଡ ଇନୋଭେସନ ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି କହିଲେ ଗେଟ୍ସ
ନୂଆଦିଲ୍ଲୀ, ମାଇକ୍ରୋସୋଫ୍ଟର ପ୍ରତିଷ୍ଠାତା ଓ ଗେଟସ ଫାଉଣ୍ଡେସନର ମୁଖ୍ୟ ବିଲ ଗେଟ୍ସ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବିଲ ଗେଟ୍ସ ଙ୍କୁ ସାକ୍ଷାତ କରି ସେ ଆନନ୍ଦିତ । ବିଭିନ୍ନ ମୁଖ୍ୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଲା ।
ଅନ୍ୟ ପକ୍ଷରେ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ନିଜର ଖୁସିକୁ ପ୍ରଦର୍ଶନ କରିବାକୁ ଏକ ବ୍ଲଗ ପୋଷ୍ଟ କରିଛନ୍ତି । ବିଲ ଗେଟସ ଭାରତରେ ଟେକ୍ନୋଲଜୀ କ୍ଷେତ୍ରରେ ହେଉଥିବା ବଡ ବଡ ଇନୋଭେସନ ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି । ସେ କୋବିଡ ଭାକ୍ସିନ, ଏହାର ବିତରଣ ପାଇଁ କୋବିନ ପ୍ଲାଟଫର୍ମ ସହିତ କେନ୍ଦ୍ର ସରକାରଙ୍କ ଗତି ଶକ୍ତି ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଳବାୟୁ ପରିବର୍ତନ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାକୁ ଲକ୍ଷ୍ୟ ପ୍ରାପ୍ତି ପାଇଁ ଭାରତ ଯେଉଁ ଗତିରେ ଅଗ୍ରସର ହେଉଛି ତାକୁ ମଧ୍ୟ ପ୍ରଶଂସା କରିଛନ୍ତି ।