
କନ୍ଧମାଳ, ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଏ.ଜେ.ଓ. ହାଇସ୍କୁଲ ପଡିଆରେ ଜିଲ୍ଲା ଲେଖକ ସାମୁଖ୍ୟ ପକ୍ଷରୁ ଚାଳିଶ ତମ ବାର୍ଷିକ ଉତ୍ସବ ଓ ୨୫ତମ ପୁସ୍ତକ ମେଳା ଉଦଘାଟିତ ହୋଇଛି । ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବରିଷ୍ଠ ସମାଜସେବୀ, ପୂର୍ବତନ ନଗରପାଳ ତଥା ରାଜନୀତିଜ୍ଞ କମଳା କାନ୍ତ ପାଣ୍ଡେ ପ୍ରମୁଖ ଯୋଗଦେଇ ଅଧିକରୁ ଅଧିକ ପାଠକ ସୃଷ୍ଟି କରିବା ସହ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ପୁସ୍ତକ ଉତ୍ସବ ଗୁରୁତ୍ଵପୂର୍ଣ ଭୂମିକା ବହନ କରିଥାଏ ବୋଲି କହିଥିଲେ।
ଏହି ଅବସରରେ ଅନୁଷ୍ଠାନର ସ୍ମରଣୀକା ”ଈପସିତା” ର ଉନ୍ମୋଚନ କରାଯାଇଥିଲା। ଏଥିସହ ଡ. ନୃସିଂହାନନ୍ଦ ମହାପାତ୍ରଙ୍କ ଦ୍ବାରା ସଂକଳନ କରାଯାଇଥିବା ”ଫୁଲବାଣୀର କମଳା ପାଣ୍ଡେ, ନାମକ ଏକ ପୁସ୍ତକ ସମେତ କବୟତ୍ରୀ ବୈଜୟନ୍ତିଵାଳା ମହାପାତ୍ରଙ୍କ ରଚିତ ଭଜନ ପୁସ୍ତିକା ହୃଦୟର ଜଣାଣ ୧ ଓ ଅନ୍ୟାନ୍ୟ ପୁସ୍ତକ ମାନ ଉନ୍ମୋଚନ କରାଯାଇଥିଲା। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟର ଜଣାଶୁଣା ପୁସ୍ତକ ବିକ୍ରେତାଙ୍କ ସମେତ ପ୍ରସିଦ୍ଧ ପ୍ରକାଶକ ମାନେ ସେମାନଙ୍କ ଷ୍ଟଲ ଖୋଲିଛନ୍ତି। ଏହା ସହିତ ବିଭିନ୍ନ ଟ୍ରେଡ଼ ଷ୍ଟଲ ଗୁଡିକ ମଧ୍ୟ ଖୋଲା ଯାଇଛି।
ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ରବିନାରାୟଣ ମିଶ୍ର କହିଛନ୍ତି।