
ନୂଆପଡ଼ା, ଆସନ୍ତା ୫ ତାରିଖରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ତେବେ ଜିଲ୍ଲାର ଅଗ୍ରଣୀ ରାଜନୈତିକ ସାମାଜିକ ସଂଗଠନ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଲ ଚରଣ ତାଣ୍ଡି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ଗସ୍ତକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଚିର ଅବହେଳିତ ନୂଆପଡ଼ା ଜିଲାକୁ ସ୍ବର୍ଗତ ବିଜୁ ପଟ୍ଟନାୟକ ଯଦିବା ନିଜର ସାନ ପୁତ୍ର ଭାବରେ ଘୋଷଣା କରିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ କିନ୍ତୁ ଜ୍ୟେଷ୍ଠ ଭ୍ରାତାର ଭୂମିକା ନିର୍ବାହ କରୁନାହାଁନ୍ତି। ଆଜି ନୂଆପଡ଼ା ଜିଲାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଥିବା ବେଳେ, ହଜାର ହଜାର ବେକାର ଯୁବକଯୁବତୀ ରୋଜଗାର ଅନ୍ବେଷଣରେ ରହିଥିବା ବେଳେ ସେମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ କୌଣସି ପ୍ରୟାସ କରୁନାହାଁନ୍ତି। ଆଜି ପର୍ଯ୍ୟନ୍ତ ନୂଆପଡ଼ା ଜିଲାରେ ଗୋଟିଏ ଶିଳ୍ପାନୁଷ୍ଠାନ ହୋଇପାରି ନାହିଁ। ଚାଷୀ ଅଭାବୀ ବିକ୍ରୀର ଶିକାର ହୁଏ, ମଣ୍ଡିଗୁଡ଼ିକ ଅନୈତିକ କାର୍ଯ୍ୟରେ ଲିପ୍ତ, ମିଲ୍ ମାଲିକମାନଙ୍କ ଦୌରାତ୍ମ୍ୟରେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମୂଖ୍ୟମନ୍ତ୍ରୀଙ୍କ ନୀରବତା ନୈରାଶ୍ୟଜନକ। ହଜାର ହଜାର କୋଟି ଟଙ୍କାର ମଦ ବ୍ୟବସାୟରେ ମଦ ବ୍ୟବସାୟୀ ମାନେ କୋଟିପତି ଓ ସରକାରୀ ରାଜସ୍ବ ବୃଦ୍ଧି ପାଉଥିବା ବେଳେ ଏଠାକାର ହଜାର ହଜାର ପରିବାର ବରବାଦ ହୋଇ ଯାଉଛନ୍ତି, ଏକଥା ମୁଖ୍ୟମନ୍ତ୍ରୀ ଦେଖିପାରି ନାହାନ୍ତି। ସେହିପରି ଶିକ୍ଷା କ୍ଷେତ୍ରରେ ନୂଆପଡ଼ା ଜିଲାକୁ ମୂଖ୍ୟମନ୍ତ୍ରୀ ସବୁବେଳେ ଅଣଦେଖା କରିଛନ୍ତି। ବିନା ବିଚାରରେ ଅନେକ ସ୍କୁଲ ବନ୍ଦ କରିଦେଲେ, ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ବିଚାର କଲେ ନାହିଁ, ଅନେକ ବିଦ୍ୟାଳୟରେ ଶିକ୍ଷକ ଯୋଗାଇଲେ ନାହିଁ। ସମସ୍ତ ମଡେଲ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ନୂଆପଡ଼ା ଜିଲାରେ ଗୋଟିଏ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ଓ ଏକ କୃଷି ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଦୀର୍ଘ ଦିନରୁ ଦଳିତ ଅଧିକାର ମଞ୍ଚ ଦାବୀ କରି ଆସୁଛି, ମାତ୍ର ଏପର୍ଯ୍ୟନ୍ତ ଏ ବିଷୟରେ ମୁଖ୍ୟମନ୍ତ୍ରୀ କର୍ଣ୍ଣପାତ କରିନାହାଁନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଲାରେ ଯେପରି ନୂଆପଡ଼ା ଜିଲାକୁ ଅବହେଳା କରାଯାଇଛି ତାର ଉଦାହରଣ ନାହିଁ। ବଡ଼ ବଡ଼ କୋଠାଘର ନିର୍ମାଣ କରି ବାହାର ପ୍ରଦେଶର ଠିକାଦାରମାନଙ୍କୁ ପୋଷିଛନ୍ତି ମୂଖ୍ୟମନ୍ତ୍ରୀ। ମାତ୍ର କୌଣସି ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ଡାକ୍ତରଙ୍କ ବ୍ୟବସ୍ଥା ନାହିଁ। ସବୁ ଡାକ୍ତରଖାନା ରେଫର ଡାକ୍ତରଖାନା ପାଲଟି ଯାଇଛି। ବିଜୁ ଏକ୍ସପ୍ରେସ୍ ୱେ ଉଦଘାଟନ କରିବାକୁ ସ୍ବାଗତ ଜଣାଇ ଶ୍ରୀ ତାଣ୍ଡି କହିଛନ୍ତି ଏପର୍ଯ୍ୟନ୍ତ ନୂଆପଡ଼ା ଜିଲାର ଅନେକ ଗ୍ରାମ ଅଗମ୍ୟ ଓ ଅପହଞ୍ଚ। ବିଜୁ ଏକ୍ସପ୍ରେସ ୱେ ଭଳି ଉନ୍ନତ ଧରଣର ରାସ୍ତା ତିଆରି କରିବାକୁ ସେମାନେ ଦାବି କରୁନାହାଁନ୍ତି, ମାତ୍ର ଏକ ଭଲ ରାସ୍ତା ପାଇବାର ହକ ସମସ୍ତଙ୍କର ଅଛି।
ସେହିପରି ଦୁର୍ନୀତିର ଶିକାର ନୂଆପଡ଼ା ଜିଲାରେ ପ୍ରତ୍ୟେକ ଦିନ ଦୁର୍ନୀତିର ନୂଆ ନୂଆ ଉଦାହରଣ ଦେଖିବାକୁ ମିଳୁଛି। ରାସନ କାର୍ଡଠାରୁ ଆରମ୍ଭ କରି ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ, ବିଭିନ୍ନ ଯୋଜନାର ଚାଉଳ ବଣ୍ଟନ ସବୁ କ୍ଷେତ୍ରରେ ଦୁର୍ନୀତିର ଘଟଣାଗୁଡ଼ିକୁ ଦଳିତ ଅଧିକାର ମଞ୍ଚ ସପ୍ରମାଣେ ଠିଆ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସରକାର ଏପର୍ଯ୍ୟନ୍ତ ଜଣକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ମହିଳା ଶକ୍ତିର ବୃଦ୍ଧି ନିମନ୍ତେ ସଦା ତତ୍ପର ବୋଲି ମୁଖ୍ୟମନ୍ତ୍ରୀ ନିଜେ କହନ୍ତି, ମାତ୍ର ଚିକିତ୍ସା ଅଭାବରୁ, ମଦର କୁପରିମାଣ ଯୋଗୁଁ, ଭୋକରୁ, ଦାଦନ ଯୋଗୁଁ ଶହ ଶହ ମହିଳା କିପରି ହଇରାଣ ହେଉଛନ୍ତି ବା ଅକାଳରେ ଟଳି ପଡ଼ୁଛନ୍ତି, ତାହା ମୁଖ୍ୟମନ୍ତ୍ରୀ ଦେଖି ପାରିନାହାଁନ୍ତି ବୋଧହୁଏ। ମୁଖ୍ୟମନ୍ତ୍ରୀ ନିଜର ନୂଆପଡ଼ା ଜିଲାକୁ ଯେପରି ଧ୍ୟାନ ଦେବା କଥା ସେପରି ଧ୍ୟାନ ଦେଇ ନାହାଁନ୍ତି। ଏଣୁ ଆଗାମୀ ନିର୍ବାଚନକୁ ଲକ୍ଷ୍ୟ ରଖି ଏହି ଗସ୍ତକୁ ଦଳିତ ଅଧିକାର ମଞ୍ଚ ଯେପରି ସ୍ବାଗତ ଜଣାଇବା କଥା ନିଶ୍ଚୟ ଜଣାଇବ ବୋଲି ଶ୍ରୀ ତାଣ୍ଡି କହିଛନ୍ତି।