-
ଭୁବନେଶ୍ୱରରେ ତିନୋଟି ଥାନାରେ ଏତାଲା ଦେଲେ ବିଜେପି କାର୍ଯ୍ୟକର୍ତା
ଭୁବନେଶ୍ୱର,ନବ ଦାସଙ୍କ ହତ୍ୟା ମାମଲା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚାର ଆନ୍ଦୋଳନ ସମୟରେ ରାଜ୍ୟ ପୋଲିସ ଦ୍ୱାରା ଷଡଯନ୍ତ୍ର କରିବା ଓ ଯୁବ ମୋର୍ଚା କର୍ମକର୍ତାଙ୍କୁ ମାଡ ମାରିବା ମାମଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ଥାନାରେ ଏତାଲା ଦିଆଯାଉଛି । ଏହି ପ୍ରସଙ୍ଗରେ ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଟ୍ୱିନସିଟି କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ତିନିଟି ଥାନାରେ ଏତଲା ଦିଆଯାଇଛି ।
ରାଜଧାନୀ ଭୁବନେଶ୍ୱର ଠାରେ ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଆସି ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲାଦେଇଛନ୍ତି । ସେହିଭଳି ରାଜ୍ୟର ବିଭିନ୍ନ ଥାନାରେ ଏଭଳି ଏତାଲା ମାନ ଦିଆଯାଇଥିବା ଜଣା ପଡିଛି ।
ଏହି ଅବସରରେ ବିଜେପି ନେତା ମାନେ କହିଛନ୍ତି ଯେ ରାଜ୍ୟ ସରକାର ଗଣତାନ୍ତ୍ରିକ ପକ୍ରିୟାକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାର ଅହଂକାରର ଚରମସୀମାରେ ପଂହଚିଛି । କ୍ଷମତାର ଭୂତ ରାଜ୍ୟ ସରକାରଙ୍କ ମୁଣ୍ଡରେ ଶବାର ହୋଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ଦାୟୀତ୍ୱ ସଂପନ୍ନ କରୁଥିବା ବିରୋଧୀ ଦଳର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କ ଉପରେ ବିଜେଡି ସରକାରର ହିଂସାତ୍ମକ ଆଭିମୁଖ୍ୟ ଓ ଆଚରଣ ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ ଓ ତାଙ୍କ ସମସ୍ୟାର ସମାଧାନ ପରିବର୍ତେ ବିଜେଡି ସରକାର ଅରାଜକତା ସୃଷ୍ଟି କରୁଛି ବୋଲି ସେମାନେ କହିଛନ୍ତି ।
ସେମାନେ କହିଛନ୍ତି ଯେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ କାଠ ଗଡାରେ ଛିଡା ହୋଇଥିବା ରାଜ୍ୟ ସରକାର ବାରମ୍ବାର ନିଜ ଷ୍ଟେଟମେଂଟ ଓ ଆଭିମୁଖ୍ୟ ପରିବର୍ତନ କରୁଛନ୍ତି । ଅତୀତରେ ବହୁ ଆନ୍ଦୋଳନ, ବିକ୍ଷୋଭ, ପ୍ରତିବାଦକୁ ସାମ୍ନା କରୁଥିବା ରାଜ୍ୟ ସରକାରମାନେ ଭଲ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ମାତ୍ର ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କିଛି ନିର୍ଦ୍ଧିଷ୍ଟ ପୋଲିସବାବୁ ମାନେ ଯୁବମୋର୍ଚ୍ଚାଙ୍କୁ ଗୋଇଠା, ବିଧାମାରି ଗୁରୁତର ଆହତ କରିବା ସହ ତାଙ୍କ ନାଁରେ ୩୦୭ ଭଳି ଦଫା ସଂଗୀନ ଲଗାଇ ଜେଲ୍ରେ ଭର୍ତି କରାଗଲା । ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ କୌଣସି ସରକାର କିମ୍ବା ପୋଲିସ ପ୍ରଶାସନ ଏଭଳି ହୀନ କାର୍ଯ୍ୟ କରିନଥିଲେ ବୋଲି ସେମାନେ କହିଛନ୍ତି ।