
ସମ୍ବଲପୁର,ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲରୁ ଉଦ୍ଧାର ହୋଇଥିବା ଭିସୁଟ୍ ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରୀ ରଖିଛି ପୋଲିସର ତିନୋଟି ଟିମ୍ । ସୋନପୁର, ବଲାଙ୍ଗିର, ଭୁବନେଶ୍ଵରରେ ତଦନ୍ତ କରୁଛି ଟିମ୍ । ଆଜି ପୋଲିସର ଏକ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ଵର ବିଜେବି ନଗର ସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରୁଛି । ସେହିପରି ଆଉ ଏକ ଟିମ୍ ଅପରାହ୍ନରେ ସାଇଂଟିଫିକ୍ ଟିମ୍ ସହ ଘଟଣାସ୍ଥଳ (ବୁର୍ଲା ପାୱାର ଚାନେଲ ବ୍ରିଜ)ରେ ପହଂଚି ତଦନ୍ତ କରିବା ନେଇ ସୂଚନା ମିଳିଛି । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକ । ଗୁରୁବାର ମୃତ ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ତେବେ ଚିନ୍ମୟୀଙ୍କ ବେକରେ ରହିଥିବା ଦାଗକୁ ନେଇ ସସପେନ୍ସ ବଢିଛି ।
ପ୍ରକାଶ ଥାଉକି, ବୁର୍ଲା ଥାନା ପିସି ବ୍ରିଜ୍ ଉପରୁ ପାଣିକୁ ଡେଇଁ ନିଖୋଜ ଥିବା ଚିନ୍ମୟୀଙ୍କ ମୃତଦେହ ବୁଧବାର ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁଙ୍କ ଅଭିଯୋଗ କ୍ରମେ ଆଇପିସିର ଦଫା ୩୦୨, ୨୦୧, ୩୦୬, ୩୪ ରେ କେସ୍ ନଂ ୯୬/୨୩ ରେ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାମରେ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ । ପ୍ରୀତିମାନଙ୍କୁ ବୁର୍ଲା ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ଅନ୍ୟପକ୍ଷରେ ଝିଅକୁ ନ୍ୟାୟ ନମିଳିଲେ ଆମେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି ମୃତ ଚିନ୍ମୟୀଙ୍କ ମା ଲବଙ୍ଗ ।