ଚମ୍ପୁଆ, ଶୁଖିଲା କୁଅ ଏକ ମାତ୍ର ବଞ୍ଚିବାର ରାହା। ଗରାଏ ପାଣି ପାଇଁ ପ୍ରତିଦିନ ସକାଳୁ ଲାଗୁଛି ଲମ୍ବା ଲାଇନ। ଧାଡିରେ ଛିଡା ହୋଇ ହୋଇ ତଣ୍ଟି ମୁହଁ ଶୁଖି ଯାଉଛି ହେଲେ ଗରା ଭରୁନି। ଶୁଖିଲା କୂଅରୁ ଯାହା ଟିକେ ପାଣି ସଂଗ୍ରହ ହେଉଛି ସମସ୍ତେ ବାଣ୍ଟି କୁଣ୍ଟି ନେଇ ଶାନ୍ତି ହେବାକୁ ପଡୁଛି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶାର ଧନୀ ଜିଲ୍ଲା କେନ୍ଦୁଝରର କୁବେର ପୁରୀ କୁହାଯାଉଥିବା ଚମ୍ପୁଆ ଉପଖଣ୍ଡରେ ଥିବା ବଡନେଉଳି ପଞ୍ଚାୟତ ଅନ୍ତର୍ଗତ ଜଡ଼ାକେନ୍ଦୁ ସାହିରେ। ତାହା ପୁଣି ବଡ ନେଉଳି ସରପଞ୍ଚଙ୍କ ନିଜ ଗ୍ରାମରେ। ନିଜ ଗ୍ରାମ, ସାହି ତଥା ନିଜର ସରପଞ୍ଚ ଥାଇ ବି ଜଳ କଷ୍ଟରୁ ବର୍ତି ପାରିଲେ ନାହିଁ ଗ୍ରାମବାସୀ। ମୁନ୍ଦାଏ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଥିଲେ ମଧ୍ୟ ନା ପଡୁଛି ପ୍ରଶାସନର ନଜର ନା ପଡୁଛି ରାଜନେତାଙ୍କ ନଜର। ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେବାକୁ ପଡୁଛି। ପଞ୍ଚାୟତରୁ ବ୍ଲକ ଦଉଡି ଦଉଡି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ ଏମାନଙ୍କ ସମସ୍ୟା ଉପରେ କାହାରି ନଜର ପଡ଼ୁ ନାହିଁ। ସରକାରଙ୍କ ଯୋଜନା ଉପରେ ଯୋଜନା ସବୁ ଫେଲ। ଭାଗ୍ୟକୁ ଆଦରି ପଡି ରହିଛନ୍ତି ଗ୍ରାମବାସୀ।
ସୂଚନା ଅନୁଯାୟୀ, ଉପାନ୍ତ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ବଡନେଉଳି ଗ୍ରାମ ପଞ୍ଚାୟତସ୍ଥ ଜଡ଼ାକେନ୍ଦୁ ସାହିରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି। ପାଖାପାଖି ୭୦ ଘର ପରିବାରକୁ ନେଇ ରହିଥିବା ଏହି ଜଡ଼ାକେନ୍ଦୁ ସାହିରେ ଥିବା ଦୁଇଟି ନଳକୂପରେ ବାହାରୁଥିବା ପାଣିରେ ଗୋଟାଏ ଗରା କି ବାଲ୍ଟି ବି ଭରିବା କଷ୍ଟ। ଗ୍ରାମରେ ଥିବା ବିଦ୍ୟାଳୟରେ ବି ନଳକୂପଟିଏ ନାହିଁ। ଏ କ୍ଷେତ୍ରରେ ଗ୍ରାମରେ ଥିବା କୂଅ ହିଁ ଏକମାତ୍ର ସାହା ଭରସା ହୋଇଥିବା ବେଳେ ଏବେ କୂଅ ବି ଶୁଖିଗଲାଣି, ଦୈନିକ ଯେତିକି ପାଣି ସଂଗ୍ରହ ହେଉଛି ତାକୁ ସମସ୍ତ ଗ୍ରାମବାସୀ ବାଣ୍ଟି କୁଣ୍ଟି ନେଇ ଚଳୁଛୁ। ପଞ୍ଚାୟତ କାର୍ଯ୍ୟାଳୟ ସହିତ ବ୍ଲକକୁ ଦୌଡି ଦୌଡି ଥକି ପଡିଲୁଣି, ହେଲେ ଆମର କଥା କେହି ଶୁଣୁନାହାନ୍ତି, ଖରାଦିନ ପହଞ୍ଚିବା ପୂର୍ବରୁ ଗ୍ରାମର ଯଦି ଏହି ଅବସ୍ଥା ଆଗକୁ କେମିତି ଚଳିବୁ ବୋଲି ଅତି ଦୁଃଖର ସହିତ ପ୍ରକାଶ କରିଥିବା ବେଳେ ଏ ସମ୍ପର୍କରେ ସରପଞ୍ଚ ନିରଞ୍ଜନ ସଏଙ୍କୁ ଯୋଗାଯୋଗ କରିବାରୁ ଗ୍ରାମରେ ପ୍ରତିବର୍ଷ ଖରାଦିନରେ ପାଣିର ଘୋର ସମସ୍ୟା ଦେଖା ଦେଇଥାଏ। ଖୁବଶୀଘ୍ର ପାଣି ଟାଙ୍କିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ତେବେ ଗ୍ରାମରେ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କଣ ପଦକ୍ଷେପ ନିଆଯାଉଛି ବୋଲି ପଚାରିବାରୁ ଯଥାଶୀଘ୍ର ସ୍କୁଲରେ ଗୋଟାଏ ନଳକୂପ ବସାଯିବା ସହିତ କୂଅଟିକୁ ପୁନଃ ମରାମତି କରିବାର ଯୋଜନା ରହିଛି ବୋଲି ପ୍ରକାଶ କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମରୁ ଜଳ କଷ୍ଟ ଦୂର କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।