
ନୂଆଦିଲ୍ଲୀ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ, ବିରୋଧି ଦଳର ନେତା, ମୁଖ୍ୟ ବିଚାରପତିଙ୍କ କମିଟି ଜରିଆରେ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ କେ.ଏମ. ଜୋସେଫଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
କୋର୍ଟ କହିଛନ୍ତି ଯେ, ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ନିର୍ବାଚନ ପ୍ରକ୍ରିୟାରେ ଶୁଦ୍ଧତା ବଜାୟ ରଖାଯିବା ଉଚିତ୍, ଅନ୍ୟଥା ଏହାର ପରିଣାମ ବିନାଶକାରୀ ହେବ । ଜଷ୍ଟିସ୍ କେଏମ ଜୋସେଫ ଏହି ରାୟ ଶୁଣାଇବା ସହ କହିଛନ୍ତି ଯେ, ଗଣତନ୍ତ୍ର ସାଧାରଣ ଜନତାଙ୍କ ହାତରେ ଶାନ୍ତିପୂର୍ଣ୍ଣ କ୍ରାନ୍ତୀର ବାହକ ଅଟେ ଏବଂ ଏହାକୁ ସ୍ଵତନ୍ତ୍ର ଏବଂ ନିରପେକ୍ଷ ରଖାଯାଉ । କୋର୍ଟ କହିଥିଲେ ଯେ, ଗଣତନ୍ତ୍ର ସେତେବେଳେ ପ୍ରାପ୍ତ କରାଯାଇପାରିବ ଯେତେବେଳେ ଶାସକୀୟ ବ୍ୟବସ୍ଥା ସଚ୍ଚୋଟତାର ସହିତ ମୌଳିକ ଅଧିକାରଗୁଡିକୁ ପୂର୍ଣ୍ଣ ରୂପରେ ପାଳନ କରିବାକୁ ପ୍ରୟାସ କରିବ । ଗଣତନ୍ତ୍ର ଉପରେ ସେତେବେଳେ ବିପଦ ସୃଷ୍ଟି ହେବ, ଯେତେବେଳେ ଆଇନର ଶାସନ କେବଳ ମୌଖିକ ଭାବେ ହୋଇଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ, କୋର୍ଟ ଗତ ୨୪ ନଭେମ୍ବର ୨୦୨୨ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।