
ପୁରୀ, ପୁରୀ ପୌରପାଳିକାର ୨୧୮ ଜଣ ସ୍ଵଛ ସାଥୀ, ଜଳ ସାଥୀ, ଆହାର କର୍ମୀ ଇତ୍ୟାଦିଙ୍କୁ ଆଜି ସାଇକେଲ ବଣ୍ଟନ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଏହି ସାଇକେଲ ବିତରଣ କରାଯାଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ପୁରୀ ପୌରପାଳିକା ପକ୍ଷରୁ ଟାଉନ ହଲ ଠାରେ ଏହି ସାଇକେଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଲେ, ଏହି ସାଇକେଲ ପାଇବା ଦ୍ଵାରା କର୍ମଚାରୀ ମାନଙ୍କର କର୍ମ ତତ୍ପରତା ବୃଦ୍ଧି ପାଇବା ସହ କର୍ମ କ୍ଷେତ୍ରକୁ ଯିବା ଆସିବାରେ ବେଶ ସହାୟକ ହୋଇ ପାରିବ। ପୁରୀ ଏକ ଧାର୍ମିକ ସହର ସହ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ହଜାର ହଜାର ପର୍ଯ୍ୟଟକ ଦୈନିକ ଆସିଥାନ୍ତି। ତେଣୁ ସହରକୁ ସ୍ଵଛ ରଖିବା ଦାୟିତ୍ଵ ଆମ ସମସ୍ତଙ୍କର ହେବା ଉଚିତ। ଆମ ସମସ୍ତଙ୍କ ଉଦ୍ୟମରେ ପୁରୀର ଅନେକ ବିକାଶ ହେଉଛି। ତେଣୁ ସମସ୍ତଙ୍କ ସହଯୋଗରେ ପୁରୀକୁ ଏକ ନମ୍ବର ମୁନିସିପାଲ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସାଇକେଲ ବିତରଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହ ଏହାଦ୍ଵାରା କର୍ମଚାରୀ ମାନେ ସମୟ ବଞ୍ଚାଇବା ସହ ଯାତାୟାତ ଖର୍ଚ୍ଚକୁ ସଞ୍ଚୟ କରି ଉପକୃତ ହୋଇପାରିବେ ବୋଲି କହିଥିଲେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆଉ ଏକ ପାଦ ଆଗକୁ ନେବ ବୋଲି ସେ କହିଥିଲେ।
ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଯେଉଁ ମାନେ ସାଇକେଲ ପାଉଛନ୍ତି ସେମାନେ ତାହାର ସଠିକ ଉପଯୋଗ କରିବା ସମୟାନୁବର୍ତି ହେବା ଓ ନିଷ୍ଠାପର ଭାବେ ସେବା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହ ସଭା ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ହିତାଧିକାରୀଙ୍କୁ ଅତିଥି ମାନେ ସାଇକେଲ ବିତରଣ କରିଥିଲେ।