କନ୍ଧମାଳ, ଚଳିତ ବର୍ଷ ୨୦୨୩ ଭୁବନେଶ୍ଵର ସ୍ଥିତ ଆଦିବାସୀ ପଡିଆ ୟୁନିଟ୍ -୧ରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ଆଦିବାସୀ ମେଳା ଭୁବନେଶ୍ଵର ୨୦୨୩ ଶେଷ ସଂନ୍ଧ୍ୟାରେ ଜନଜାତି ସାହିତ୍ୟ କୃତି ପାଇଁ କନ୍ଧମାଳର କୁଇକବି ପ୍ରଦୀପ କହଁର ଆଦିବାସୀ ପ୍ରତିଭା ସମ୍ମାନ-୨୦୨୩ ରାଜ୍ୟ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ପୁରସ୍କାର ପାଇବାରେ ପ୍ରଦୀପ କହଁର ହେଉଛନ୍ତି କନ୍ଧମାଳର ପ୍ରଥମ ବ୍ୟକ୍ତି । ପ୍ରଦୀପ କହଁର ଜଣେ ଏକାଧାରରେ କବିତା, ପ୍ରବନ୍ଧ, ଗଳ୍ପ, କ୍ଷୁଦ୍ର ନାଟକ, ବ୍ୟଙ୍ଗ, ବିରହାତ୍ମକ, ବିପ୍ଲବାତ୍ମକ କବିତା, ଶିଶୁ କବିତା, ଶିଶୁ ଗଳ୍ପ, ଢଗଢମାଳି, ଆଧୁନିକ କବିତା, ଭଜନ, ଜଣାଣ, ଦେଶାତ୍ମକବୋଧ ଓ ଆଦିବାସୀ କୁଇକବି ନିଜସ୍ଵ ମାତୃଭାଷା କୁଇଭାଷା ସାହିତ୍ୟରେ ମଧ୍ୟ କୁଇ କବିତା, କୁଇ ପ୍ରବନ୍ଧ, କୁଇ ଗଳ୍ପ, କୁଇ ନାଟକ, କୁଇ ଢଗଢମାଳି, କୁଇ ଗୀତ, କୁଇ ଭଜନ, ଜଣାଣ, ଶିଶୁ କବିତା, ଶିଶୁ ଗଳ୍ପ, କୁଇ ଆଧୁନିକ କବିତା, କନ୍ଧ ପୂଜା ପଦ୍ଧତି, କନ୍ଧ ସଂସ୍କୃତି ଓ କନ୍ଧବଂଶୀୟ ଗବେଷଣାତ୍ମକ ଲେଖା ଲେଖିବା ସହିତ ଜଣେ ବାଦ୍ୟକାର, ଗୀତିକାର, ମଞ୍ଚ କଳାକାର, କୁଇଭାଷା ଅନୁବାଦକ ଓ କୁଇ ସଂସ୍କୃତି ଗବେଷକ ଭାବେ ପରିଚିତ । ୧୯୯୪ ରୁ ଲେଖି ଆସୁଥିବା ହଜାର ହଜାର ଲେଖା ମଧ୍ୟରୁ ପ୍ରକାଶିତ ଚିତ୍ରପଟ୍ଟ, ପକ୍ଷୀ, ସ୍ମୃତିତୀର୍ଥ କବିତା ସଂକଳନ ପାଠକ ମହଲରେ ଆଦୃତି ଲାଭ କରିଛି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ପ୍ରାପ୍ତ ହୋଇଥିବା ପୁରସ୍କାର, ସାଲ୍ ଖାନ ହେମ୍ବ୍ରମ୍ ସ୍ମୃତି ସମ୍ମାନ-୨୦୧୮, କନ୍ଧମାଳ ସାରସ୍ଵତ ପ୍ରତିଭା ସମ୍ମାନ-୨୦୧୯ରେ, କୁସୁମ ଭାଷା ସାହିତ୍ୟ ସଂସ୍କୃତି ସମ୍ମାନ, ଲୋକକବି ଉପାଧି, ଆମରି ସ୍ରଷ୍ଟା ସମ୍ମାନ-୨୦୨୦ ରେ, କବି ମଞ୍ଜୁଳ ସ୍ମୃତି ସମ୍ମାନ, ସାରସ୍ଵତ ପ୍ରତିଭା ସମ୍ମାନ, କବିକୁଳ ସମ୍ମାନ, ଜନଜାତୀୟ ଗୌରବ ଦିବସ ସମ୍ମାନ-୨୦୨୨, ଭୀମ ଭୋଇ ପ୍ରତିଭା ସମ୍ମାନ-୨୦୨୩, କେନ୍ଦ୍ର ସାହିତ୍ୟ ଏକାଡେମୀ – ୨୦୧୯, କେନ୍ଦ୍ର ସାହିତ୍ୟ ଏକାଡେମୀ- ୨୦୨୨, ଓଡିଶା ସାହିତ୍ୟ ଏକାଡେମୀ ପ୍ରମାଣ ପତ୍ର ୨୦୨୨ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନୀତ, ସମ୍ବର୍ଦ୍ଧିତ ହୋଇଛନ୍ତି।
ଏବେ ସେ ରାଜ୍ୟ ପୁରସ୍କାର ଆଦିବାସୀ ପ୍ରତିଭା ସମ୍ମାନ ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ଓ କନ୍ଧମାଳର ଗର୍ବ ଓ ଗୌରବ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।